ନାମକୁ ମାତ୍ର ପାଣି ପଚାଂୟତ । କେନାଲ ଅଛି ହେଲେ ଶୁଖିଲା ପଡିଛି ଚାଷ ଜମି, ମରାମତି ହେଉନଥିବା ଅଭିଯୋଗ ।

ମରାମତି ଅଭାବରୁ କେନାଲର ତଳି ଅଂଚଳକୁ ପାଣି ପହଂଚି ପାରୁନଥିବା ଅଭିଯୋଗ । ଗଣ୍ଡଗୋଳ ଚେୟାର ଭଙ୍ଗାରେ ସରିଲା ପାଣି ପଂଚାୟତ ବୈଠକ ।

96

କନକ ବ୍ୟୁରୋ: କେନାଲ ଅଛି, ପାଣି ପଚାଂୟତ ଗଠନ କରାଯାଇଛି, ଜଳକର ବାବଦକୁ ରାଜସ୍ୱ ବି ଆଦାୟ ହେଉଛି. କିନ୍ତୁ  ଚାଷୀଙ୍କୁ ପାଣି ମିଳୁନାହିଁ । ଚାଷୀଙ୍କ ନାଁ ନେଇ  ବିଭାଗୀୟ ଅଧିକାରୀ ଲଗାମ ଧରିଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ସମସ୍ୟା ସୁଧାରିବା ପାଇଁ ହେଉଥିବା ପାଣି ପଂଚାୟତ ବୈଠକ ଚେୟାର ଫିଙ୍ଗା ଓ ପାଟି ତୁଣ୍ଡରେ ଶେଷ ହେଉଥିବା ଚାଷୀ କହିଛନ୍ତି । ତେବେ ଆଗକୁ ଜମିରେ ପାଣି ନମାଡିଲେ ଚାଷୀକୂଳ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

କେନାଲ ଅଛି । ଜମିକୁ ନାଳ ବି ଅଛି । କିନ୍ତୁ ଜମିରେ ପାଣି ମାଡୁନି । ଫଳରେ ରବି ଚାଷ ପାଇଁ ଚିନ୍ତାରେ ପଡିଛନ୍ତି ଚାଷୀ । କୋରାପୁଟ ଜିଲ୍ଳାରେ ରବି ଚାଷ ପାଇଁ କେଲାବ ଡ଼୍ୟାମରୁ ପାଣି ଛଡ଼ା ଯାଇଛି । ହେଲେ ତଳିଆ ଅଂଚଳରେ ପାଣି ପହଂଚୁନଥିବା ଅଭିଯୋଗ ହୋଇଛି । ପାଣି ବିନା ଚାଷ ପ୍ରଭାବିତ ହେଉଥିବା ବେଳେ ନାମକୁ ମାତ୍ର ପାଣି ପଚାୟତ ଗଠନ କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି ବିଭାଗୀୟ ଅଧିକାରୀ ।

ସୂଚନା ମୁତାବକ, କୋରାପୁଟ ଜିଲ୍ଲାରେ ଖରିଫ ଓ ରବି ଋତୁରେ ଚାଷକୁ ପାଣି ଯୋଗାଇବା ପାଇଁ କୋଲାବ ଡ୍ୟାମ୍ କରାଯାଇଛି । ଜଳ ସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୯୭୬ ମସିହାରେ କୋଲାବ ଡ୍ୟାମର ପ୍ରକଳ୍ପ ଆରମ୍ଭ ହୋଇଥିଲା । ୧୯୮୫ରେ ଡ୍ୟାମରୁ କେନାଲ ଯୋଗେ ଜମିକୁ ପାଣି ଯୋଗାଇବା ପାଇଁ ପ୍ରସ୍ତୁତି ହୋଇଥିଲା । ୧୯୯୩ରେ କୋଲାବ ଡ୍ୟାମ୍ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା । ୧୯୯୭ରେ ଜିଲ୍ଳାର ୪୦ ହଜାର ହେକ୍ଟର ଜମିକୁ ପରୀକ୍ଷା ମୂଳକ ଭାବେ ପାଣି ଯୋଗଇ ଦିଆଯାଇଥିଲା । ୧୯୯୮ରୁ ନୀୟମିତ ଭାବେ ଜୟପୁର ବ୍ଳକ, ବୋରିଗୁମ୍ମା ବ୍ଳକର କିଛି  ଅଂଚଳ ଓ କୋଟପାଡ଼ର ଚାଷ ଜମିକୁ ପାଣି ଯୋଗାଯାଉଛି ।

କେନାଲ ପାଣି ପାଇଁ ୨୦ ବର୍ଷ ହେଲା ଚାଷୀ ଜଳକର ଦେଉଛନ୍ତି । ହେଲେ କେନାଲର ପୁର୍ନରୁଦ୍ଧାର କରାଯାଉ ନାହିଁ ଫଳରେ ତଳିଆ ଅଚଂଳ କୋଟପାଡ ବ୍ଳକ ସମେତ ଜୟପୁର ବ୍ଳକର ପାଂଜିଆବେଡ଼ା, ମଜୁରମୁଣ୍ଡା, ଗଡ଼ପଦର, ହାଡ଼ିଆ, ପୁଟ୍ରା ଓ ବୋରିଗୁମ୍ମା ବ୍ଲକର ଉମୁରି, ଏକମ୍ବା ଭଳି ଅଚଂଳରେ ପହଂଚି ପାରୁନି କେନାଲ ପାଣି । ହେଲେ ପାଣି ପଂଚାୟତରେ ଏହାର ସମାଧାନ କରାଯାଉ ନାହିଁ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବସୁଥିବା ବୈଠକ ଭୋଜି ଭାତ, ଚେୟାର ଫିଙ୍ଗା ଗଣ୍ଡଗୋଳରେ ଶେଷ ହେଉଥିବା ଚାଷୀ କହିଛନ୍ତି । ଚାଷ ସମୟରେ ମନେ ପଡ଼େ ଚାଷୀଙ୍କ କଥା । ତେବେ ବର୍ତମାନ କୋଲାବ କେନାଲର ଅବସ୍ଥା ରହିଛି ସମୟ ଥାଉ ଥାଉ ବିଭାଗୀୟ ଅଧିକାରୀ ସଜାଗ ନହେଲେ ଆଗକୁ ସମସ୍ୟା ଜଟିଳ ରୂପ ନେଇ ପାରେ ।