କନକ ବ୍ୟୁରୋ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ନେଲାଣି । ଚୁଆ ଓ ପୋଖରି ପାଣିକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି ।
ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜଳ କଷ୍ଟ ମଧ୍ୟ ଲୋକଙ୍କ ଉପରେ ଦାଉ ସାଧିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡ଼ୁଗାଁ ପଂଚାୟତବାସିନ୍ଦା ପାଣି ଟୋପେ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଗାଁର ସମସ୍ତ ନଳକୂପ ଅଚଳ ହୋଇପଡିରହିଥିବା ବେଳେ ସପ୍ତାହେ ହେବ ପାଣି ଯୋଗାଣ ବନ୍ଦ ମଧ୍ୟ ବନ୍ଦ ରହିଛି । ଫଳରେ ନଦୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ଲୋକେ । ନଦୀ ପାଣି ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ଦୂର । ସେପଟେ ରାସ୍ତାକାମ ପାଇଁ ନିକଟସ୍ତ ନଦୀରୁ ପାଣି ବ୍ୟବହାର କରାଯାଉଥିବା ବେଳେ ନଦୀ ତଳ ମୁଣ୍ଡାକୁ ଥିବା ଜଳ ଉତ୍ସ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି ।
ସେହିପରି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆମ୍ବଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପିଇବା ପାଣି ନପାଇ ଲୋକେ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଅଧିକାଂଶ ସମୟ ଅକାମି ହୋଇ ପଡିରହୁଛି । ଫଳରେ ପାଣିମୁନ୍ଦେ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।
ପ୍ରତିବର୍ଷ ଖରାଦିନ ଆରମ୍ଭ ହେବା ମାତ୍ରେ ପାନୀୟ ଜଳ ପାଇଁ ଲୋକେ ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ସରକାର ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡିଛି ।