ଜଳ ଓ ଜାଳେଣିକୁ ନେଇ ରାଜନୀତି : କଟକରେ ସହରାଂଚଳ ପାଇଁ ୧୦୧ଟି ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ, ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

48

କନକ ବ୍ୟୁରୋ : ଟ୍ୱିନସିଟିରେ ଜଳ ଓ ଜାଳେଣିକୁ ନେଇ ରାଜନୀତି । ଗୋଟିଏ ପଟେ ଓଡିଶାର ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କଟକ ଓ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରୁଥିଲେ ଏବଂ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଇପ ଯୋଗେ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରୁଥିଲେ । ବିଜେପୁର ଉପନିର୍ବାଚନକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ତିବ୍ର ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ଆଜି ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ଜଳ ଯୋଗାଣ ଓ ପାଇପ ଯୋଗେ ଗ୍ୟାସ୍ ଯୋଗାଣକୁ ନେଇ ରାଜନୈତିକ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି ।

ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ରାଜନୀତି ଆରମ୍ଭ ହୋଇଯାଇଛି । କଟକରେ ୧୦୧ଟି ସହରାଂଚଳ ପାଇଁ ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୮୩ କୋଟି ଟଙ୍କା ବ୍ୟୟରେ ୫୫୫ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ସବୁ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ । ସେହିପରି ୭୪ଟି ସହରାଂଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ଜଳ ପରିକ୍ଷାଗାରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର, ପୁରୀ, ରାଉରକେଲା, କଟକ ଓ ବାରିପଦାରେ ନୂତନ ଜଳ ପରୀକ୍ଷାଗାରର ଉଦ୍ଘାଟନ କରାଯାଇଛି ।ଭୁବନେଶ୍ୱର ପଳାଶୁଣୀରେ ୱାଟର ଟେଷ୍ଟିଂ ଷ୍ଟେଟ୍ ଲାବରୋଟାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୬ କୋଟି ଟଙ୍କାର ବ୍ୟୟ ଅଟଳଳରେ ନିର୍ମାଣ କରାଯାଇଥିବା ଲାବରୋଟାରୀର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ଏହାଦ୍ୱାର ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ୱାଟର ଟେଷ୍ଟିଂ ଷ୍ଟେଟ ଲାବରୋଟାରୀରେ ପାଣି ନମୂନା ପରୀକ୍ଷା କରାଯିବ ।

ସେପଟେ ଘରେ ଘରେ ଗ୍ୟାସ୍ ପହଂଚାଇବାକୁ ଭୁବନେଶ୍ୱରରେ ଆଜି ଆରମ୍ଭ ହେଇଛି କେନ୍ଦ୍ର ସରକରାଙ୍କ ନୁଆ ଯୋଜନା । ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରାଯାଇଛି । ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି । ହୋଲି ପୂର୍ବରୁ କଟକ ସହରରେ ଗ୍ୟାସ୍ ସଂଯୋଗ କରାଯିବ । ପରବର୍ତୀ ସମୟରେ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଅଂଚଳରେ ଥିବା ୫୦ ହଜାର ପରିବାରଙ୍କୁ ପିଏନଜି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ୟାସ ସଂଯୋଗ କରାଯିବ । ଏଥିପାଇଁ ୫ ହଜାର ୨ ଶହ କୋଟି ପୁଂଜି ନିବେଶ କରାଯିବ । ମୋଟ ୨ ଲକ୍ଷ ୫୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନା ମାଧ୍ୟମରେ ପାଇପ୍ ଯୋଗେ ଗ୍ୟାସ ଯୋଗାଇ ଦିଆଯିବ ।

କେନ୍ଦ୍ର ସରକାରଙ୍କ ପାଇପ ଯୋଗେ ରୋଷେଇ ଗ୍ୟାସ ବିତରଣ ଯୋଜନା ଦେଶବାସୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏହି ଯୋଜନା ଦ୍ୱାର ମାତ୍ର ୧ ପ୍ରତିଶତ ଲୋକ ଉପକୃତ ହେବ । ସେପଟେ ଧର୍ମେନ୍ଦ୍ରଙ୍କ ଶୁଭାରମ୍ଭ ଯୋଜନାରେ କୌଣସି ବିଜେଡି ନେତା ଯୋଗ ଦେଇନାହାନ୍ତି । ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ । ଧର୍ମେନ୍ଦ୍ର ଦିଲ୍ଲୀରୁ ଫେରି କେବଳ ସରକାର ବିରୋଧରେ ଗପୁଛନ୍ତି । ଚଣ୍ଡିଖୋଲରେ ତେଲ ଟର୍ମିନାଲ କେବେ ନିର୍ମାଣ ହେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ । ସତମିଛ କହିବା ଧର୍ମେନ୍ଦଙ୍କ ଅଭ୍ୟାସ । ସେ ଏଯାଏ କିଛି ବଡ କାମ କରିନାହାନ୍ତି ବୋଲି କହି ବୋଲି କହି କଟୁ ସମାଲୋଚନା କରିଛନ୍ତି ।