ଶେଷରେ ସଫା ହେଲା ଆଇସିୟୁରୁ ପାଣି ! ବର୍ଷାଜଳ ଭିତରେ ଚାଲିଥିଲା ଚିକିତ୍ସା, ଆଇସିୟୁରେ ଖେଳୁଥିଲେ ମାଛ ।

32

କନକ ବ୍ୟୁରୋ : ଶେଷରେ ପ୍ରଶାସନର ଚେତା ପଶିଲା । ବିହାରର ନାଳନ୍ଦା ମେଡିକାଲ ଆଇସିୟୁରୁ ଝାଡୁ ମାରି ପାଣି ସଫା କରାଗଲା । ଗତକାଲି ଆଇସିୟୁରେ ପାଣି ଭର୍ତି ହୋଇଥିବା ନେଇ ଖବର ପ୍ରସାରଣ ପରେ ମେଡିକାଲ କର୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମେଡିକାଲ କଲେଜର ଆଇସିୟୁ ଭିତରେ ପାଣି ପଶିଯାଇଥିଲା । ଏପରିକି ଆଇସିୟୁ ଭିତରେ ମାଛ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ବିହାରର ନାଳନ୍ଦା ମେଡିକାଲ କଲେଜ ଆଇସିୟୁ ପରିସରରେ ପାଣି ଭର୍ତି ହୋଇଯାଇଥିଲା । ଆଉ ଆଜି  ଆଇସିୟୁରୁ ପାଣି କଢାଯାଇଛି । ଡାକ୍ତରଖାନା ଭିତରେ ମାଛ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାସିଥିଲା ଡାକ୍ତରୀ ଉପକରଣ । ରୋଗୀଙ୍କ ପର୍ଯ୍ୟନ୍ତ ଛୁଇଁଥିଲା ପାଣି । ଗୋଟିଏ କି ଦୁଇଟି ବିଭାଗ ନୁହଁ ଶିଶୁରୋଗ ବିଭାଗଠାରୁ ଆରମ୍ଭ କରି ଅଧିକାଂଶ ୱାର୍ଡରେ ପଶି ଯାଇଥିଲା ପାଣି । ହେଲେ ମେଡିକାଲ କର୍ତୃପକ୍ଷ ଏନେଇ କୌଣସି ପଦକ୍ଷେପ ନେଇନଥିଲେ ।

ଖବର ପ୍ରସାରଣ ପରେ ଚେତିଲେ ମେଡିକାଲ କର୍ତୃପକ୍ଷ । ଆଜି ଆଇସିୟୁରୁ ଝାଡୁ ମାରି ପାଣି ସଫା କରାଯାଇଛି । ପ୍ରଥମେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପରେ ଆଇସିୟୁରେ ଥିବା ସମସ୍ତ ମେସିନକୁ ବାହାର କରାଯାଇ ପାଣି କାଢିଥିଲେ ମେଡିକାଲ କର୍ମଚାରୀ । ନାଳନ୍ଦା ମେଡ଼ିକାଲ କଲେଜ ହେଉଛି ବିହାରର ତୃତୀୟ ସର୍ବବୃହତ ଡାକ୍ତରଖାନା । ପାଣି ପଶିବା ପରେ ହସ୍ପିଟାଲର ଏହିି ଅଭାବନୀୟ ଦୃଶ୍ୟକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ଲଗାଣ ବର୍ଷାରେ ମେଡିକାଲର ଆଇସିୟୁ ପରିସରରେ ସୃଷ୍ଟି ହୋଇଥିଲା ଏପରି ପରିସ୍ଥିତି । ଗୋଟିଏ ପଟେ ଚାଲିଥିଲା ରୋଗୀଙ୍କ ଚିକିତ୍ସା ଆଉ ଅନ୍ୟପଟେ ଆଇସିୟୁ ପରିସରରେ ଆଂଠୁଏ ଉଚ୍ଚର ପାଣି । ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଲାଗିରହିଥିଲା ଅସନ୍ତୋଷ । ପାଣି କଢାଯିବା ପରେ ଏବେ ରୋଗୀମାନେ ଆଶ୍ୱସ୍ତ ।