ପାଇଖାନାରେ ପିଲା, ସ୍କୁଲରେ ତାଲା: ସ୍କୁଲରେ ପିଲା ଥାଇ ବି ତାଲା ପକାଇ ପଳାଇଗଲେ ପିଅନ । ବାଲେଶ୍ୱର ମହାବୀର ସ୍କୁଲରେ ମହାଅବହେଳା

902

କନକ ବ୍ୟୁରୋ: ସ୍କଲରେ ପିଲା, ଗେଟରେ ତାଲା । ସ୍କୁଲରେ ପିଲା ଥିବା ସତ୍ୱେ ବି ଗେଟରେ ତାଲା ପକାଇ ପଳାଇଗଲେ ସ୍କୁଲ ପିଅନ ।ପିଲାଟି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା । ତେବେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇ ଯାଇଥିଲା । ଆଉ ପିଲାଟି ସ୍କୁଲରେ ହିଁ ରହିଯାଇଥିଲା ।

ସ୍କୁଲ ଛୁଟି ହୋଇଥିବାରୁ ପାଇଖାନାରୁ ବାହାରି ପିଲାଟି କାହାରିକୁ ନପାଇ କାନ୍ଦିଥିଲା ଆଉ ଭୟରେ ଗେଟ ପାଖରେ ବୁଲାବୁଲି କରୁଥିଲା । ସ୍କୁଲ ପରିସର ଭିତରେ କୁନି ପିଲାକୁ ଦେଇ ଲୋକେ ପିଅନକୁ ଡାକି ବାହାର କରିଥିଲେ । ତେବେ କ୍ଲାସରୁମରେ ପିଲାର ବ୍ୟାଗ ଥିବା ସତ୍ତେ୍ୱ ମଧ୍ୟ କେମିତି ପିଅନ ଭଲଭାବେ ନଦେଖି କ୍ଲାସ ରୁମରେ ତାଲା ପକାଇ ଦେଲେ ତାହା ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

ତେବେ ତାଲା ଘଟଣା ପ୍ରଘଟ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ନିର୍ଦ୍ଦେଶ ପାଇବା ପରେ ଡିଇଓ ଘଟଣାର ତଦନ୍ତ ପାଇଁ ସିଆରସିସିଙ୍କୁ କହିଥିଲେ ଆଉ ସିଆରସିସିଙ୍କ ନେତୃତ୍ୱରେ ଏକ ଟିମ୍ ବାଲେଶ୍ୱର ମଠସାହି ମହାବୀର ନୋଡାଲ ସ୍କୁଲରେ ପହଂଚି ଘଟଣାର ଖୋଳତାଡ କରିଛି ।

ସେପଟେ ତଦନ୍ତ ପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଲେଶ୍ୱର ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଗତକାଲି ସ୍କୁଲ ଛୁଟି ପରେ ଏଭଳି ଘଟଣା ଘଟିବା ପରେ ସାରା ଜିଲ୍ଲାରେ ସ୍କୁଲ କର୍ତ୍ତୃପକ୍ଷ ଅବହେଳାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।