ବିଜେପୁର ପାଇଁ ସଜବାଜ ! ପ୍ରଥମ ଥର ପାଇଁ ଭିଭିପାଟରେ ହେବ ଭୋଟିଂ, ଜାଣନ୍ତୁ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ପୂରା ତଥ୍ୟ

44

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ବାଜିଛି ବିଗୁଲ । ଫେବୃଆରୀ ୨୪ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟଗ୍ରହଣ ହେବା ସହ ଫେବୃଆରୀ ୨୮ରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜେପୁର ନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବା ବେଳେ ଏହି ଘୋଷଣା ପରେ ସବୁ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛି । ପ୍ରାୟ ୨ ଲକ୍ଷ ୨୧ ହଜାର ୧୪୬ ଜଣ ଭୋଟର ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ପ୍ରଥମଥର ପାଇଁ ଓଡ଼ିଶାରେ ତଥା ବିଜେପୁର ଉପ-ନିର୍ବାଚନରେ ଇଭିଏମ ସହ ଭିଭିପାଟ ମେସିନ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ବାରମ୍ବାର ଇଭିଏମ ଟ୍ୟାମ୍ପରି ଅଭିଯୋଗ ଆସିବା ପରେ ନିର୍ବାଚନରେ ସ୍ୱଚ୍ଚତା ଆଣିବା ପାଇଁ ଏହି ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ । ଯାହାଫଳରେ ନିର୍ବାଚନରେ ହେଉଥିବା ହେରଫେରକୁ ରୋକାଯାଇପାରିବ । ଭିଭିପାଟ ମେସିନ ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ବ୍ୟବହାର ହେଉଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଭିଭିପାଟ ମେସିନର କିପରି ବ୍ୟବହାର କରାଯିବ ସେ ନେଇ ଡେମୋ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଯାହାଫଳରେ ଭୋଟ ଦେବା ସମୟରେ ଲୋକମାନେ ଆଉ ଅସୁବିଧାରେ ପଡିବେ ନାହିଁ ।

ଏଣିକି ଆଉ ହୋଇପାରିବନି ଇଭିଏମ ମେସିନ ଟ୍ୟାମ୍ପରିଂ । ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍ ମେସିନ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପୁର ନିର୍ବାଚନରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର ହେବ । ବିଜେପୁରରେ ୨୭୦ଟି ବୁଥ୍ ରହିଥିବା ବେଳେ ୨୭୦ଟି ଇଭିଏମ୍ ସହ ସମାନ ସଂଖ୍ୟକ ଭିଭିପାଟ୍ ମେସିନ୍ ଲାଗିବ । ଏହାଦ୍ୱାରା ବହୁଦିନ ଧରି ଅଭିଯୋଗ ହୋଇଆସୁଥିବା ଇଭିଏମ୍ ଟାମ୍ପରିଂରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି ।

ଭିଭିପାଟ୍ ହେଉଛି- ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍ । ଅର୍ଥାତ୍ ଜଣେ ଭୋଟର ଭୋଟ୍ ଦେବା ପରେ ସେ କେଉଁ ଦଳକୁ ଭୋଟ ଦେଲେ ତାହା ନିଜେ ଜାଣିପାରିବେ ଓ ତାର ଏକ ଚିରକୁଟ୍ ସ୍ୱତନ୍ତ୍ର ବାକ୍ସରେ ସଂଗୃହୀତ ହେବ ।ଏଥିରେ ଭୋଟରଙ୍କ ନାମ ଓ କେଉଁ ଦଳକୁ ଭୋଟ ଦେଇଛନ୍ତି ତାହା ଉଲ୍ଲେଖ ରହିବ । ଯଦି ନିର୍ବାଚନ ପରେ ଭୋଟ ସଂଖ୍ୟା ନେଇ ପ୍ରାର୍ଥୀ ଅଭିଯୋଗ କରନ୍ତି ତାହାକୁ ଗଣାଯାଇପାରିବ । ଆଗକୁ ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ଭାରତର ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।

ଆସନ୍ତୁ ଜାଣିବା ଏହି ଭିଭିପାଟ୍ କେମିତି କାମ କରିଥାଏ-
VVPATଇଭିଏମ୍ ସହ ଲାଗି କରି ଆସିବ ଭିଭିପାଟ୍- ଭୋଟର ଭେରିଫାଏବଲ୍ ପେପର୍ ଅଡିଟ୍ ଟ୍ରେଲ୍ ମେସିନ୍ । ଜଣେ ଭୋଟର ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ, କେବଳ ସେହି ଭୋଟର ଭିଭିପାଟ୍ ଡିସ୍ପ୍ଲେ ବୋର୍ଡରେ ୭ ସେକେଣ୍ଡ ପାଇଁ କାହାକୁ ଭୋଟ୍ ଦେଇଛନ୍ତି ତାହା ଦେଖିପାରିବେ । ତା’ ପରେ ଛପା ପେପର୍ ସ୍ଲିପ୍ ବା ଚିରକୁଟଟି ଭିଭିପାଟ୍ ମେସିନର ଡ୍ରପ୍ ବକ୍ସରେ ପଡ଼ିଯିବ । ତା’ ପରେ ନିର୍ବାଚନରେ ସଂପୃକ୍ତ ଅଧିକାରୀମାନେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଏହାକୁ ସିଲ୍ କରି ଭୋଟ୍ ଗଣତି କେନ୍ଦ୍ରକୁ ପଠାଇବେ । କୌଣସି ସନ୍ଦେହ ସୃଷ୍ଟି ହେଲେ ପେପର୍ ସ୍ଲିପ୍ ଗୁଡ଼ିକୁ ଗଣାଯାଇପାରିବ ।

ସାରା ଦେଶରେ ଅନେକ ଦଳ ଇଭିଏମ୍ ଟାମ୍ପରିଂ ନେଇ ଅଭିଯୋଗ ଆଣିବା ପରେ ସୁପ୍ରିମକୋର୍ଟ ଭିଭିପାଟ୍ ସପକ୍ଷରେ ରାୟ ଦେଇଥିଲେ । ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସ ପୂର୍ବରୁ ୪୦ ଲକ୍ଷ ଭିଭିପାଟ ମେସିନ ନିର୍ବାଚନ କମିଶନରଙ୍କ ହସ୍ତଗତ ହେବ ବୋଲି ସୂଚନା ମିଳିଛି । ଆଗାମୀ ସାଧାରଣ ନିର୍ବାଚନରେ ଏହି ଭିଭିପାଟ ମେସିନର ବ୍ୟବହାର କରାଯିବ ।ଯାହା ଇଭିଏମ ଟ୍ୟାମ୍ପରିକୁ ରୋକିବା ସହ ନିର୍ବାଚନରେ ସ୍ୱଚ୍ଚତା ଆଣିବ । ଭିଭିପିଏଟିରେ ସମସ୍ତ ତଥ୍ୟ କିଛି ଦିନ ପର୍ୟ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ।