ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । ଟିଏମସି-କଂଗ୍ରେସ କର୍ମୀ ମୁହାଁମୁହିଁ, ଠେଲାପେଲାରେ ଜୀବନ ହରାଇଲେ ମତଦାତା ।

94

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ପଶ୍ଚିମବଙ୍ଗର ମୁର୍ଶିଦାବାଦଠାରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉପୁଜିଥିବା ହିଂସା ହେତୁ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ମତଦାତାଙ୍କ ଜୀବନ ଯାଇଥିବା ସୂଚନା ରହିଛି ।

ପୂର୍ବରୁ ସକାଳୁ ପଶ୍ଚିମବଙ୍ଗରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ହୋଇଥିବା ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମସି)  କର୍ମୀ ଆହତ ହୋଇଥିଲେ । ପଶ୍ଚିମବଙ୍ଗର ମୁର୍ଶିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି ଅଂଚଳରେ ଏହି ବୋମା ମାଡ଼ରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିଲେ ବୋଲି ଜାଣିବାକୁ ମିଳିଥିଲା । ଆହତ କର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତେବେ, ବୋମା କିଏ ପକାଇଥିଲା ତାହା ଯଦିଓ ଜଣାପଡ଼ି ନଥିଲା ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଆଜି ୫ଟି ଲୋକସଭା ମଣ୍ଡଳୀ ପାଇଁ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ବାଲୁରଘାଟ, ମାଲଦା ଉତ୍ତର, ମାଲଦା ଦକ୍ଷିଣ, ଜଙ୍ଗିପୁର ଓ ମୁର୍ଶିଦାବାଦ୍।