୨୦୧୪ ତୁଳନାରେ ଏଥର ୩ପ୍ରତିଶତ ଅଧିକ ପଡିଲା ଭୋଟ୍ ! ସେପଟେ ଆରମ୍ଭ ହେଲା ରାଜନୈତିକ ଦଳଙ୍କ ଅଙ୍କକଷା, ଦମ୍ଭୋକ୍ତି ଦେଖାଇଲେ ଉଭୟ କଂଗ୍ରେସ ଓ ବିଜେପି ।

155

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜନୈତିକ ଦଳଙ୍କ ଭିତରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୪ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଏହି ପର୍ଯ୍ୟାୟରେ ହୋଇଥିବା ଆସନରେ ଭୋଟ୍ ପରିମାଣ ୩ ପ୍ରତିଶତ ଅଧିକ ପଡିବା ପରେ କିଏ କରିବ ବାଜିମାତ ତାଙ୍କୁ ନେଇ ନିଜ ନିଜ ଢ଼ଙ୍ଗରେ ଦାବି କରିଛନ୍ତି ନେତା ।

ଦ୍ୱିତୀୟ ପର୍ଯ୍ୟାୟରେ ୯୫ଟି ଲୋକସଭା ଆସନ ପାଇଁ ହୋଇଥିବା ମତଦାନ ୬୯ ପ୍ରତିଶତ ହୋଇଥିବାବେଳେ ୨୦୧୪ରେ ଏହା ୬୬ ପ୍ରତିଶତ ହୋଇଥିଲା । ତେଣୁ ଏହି ୩ପ୍ରତିଶତ ଅଧିକ ଭୋଟ କାହା ସପକ୍ଷରେ ଯିବ ତା ଉପରେ ରହିଛି ନଜର । ଏହି ପର୍ଯ୍ୟାୟରେ ଆସାମରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଜମ୍ମୁକଶ୍ମୀରରେ ସର୍ବନିମ୍ନ ୪୫.୮ ପ୍ରତିଶତ ଭୋଟଦାନ ହୋଇଛି ।

ତେବେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ୫ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ । ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ, ନେତାଙ୍କ ବିବାଦୀୟ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି । କାହାକୁ ମିଳିବ ଜନତାଙ୍କ ସହମତ ଏବଂ କିଏ ଗଢିବ ସରକାର । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।