କେମିତି ହେଲା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ । ଫିଟୁନି ରହସ୍ୟ, ବାଟ ପାଉନି ପୋଲିସ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

655

କନକ ବ୍ୟୁରୋ : ଧର୍ମଶାଳାରେ ମହିଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ପୋଲିସ ଷଡଯନ୍ତ୍ରର ନକ୍ସା ଖୋଜୁଛି । ସ୍ମିତାରାଣୀଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଇନ୍ଦିରା ଆବାସ ଦୁର୍ନୀତି ନେଇ କିଛି ଖବର ସେ ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ । ସେପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ହେଲା କେମିତି । ତାଙ୍କ ବାପାଙ୍କ ସିଧା ସିଧା ଅଭିଯୋଗ ହେଲା, ଝିଅକୁ ହତ୍ୟା କରାଯାଇଛି । ଇନ୍ଦିରାଆବାସ ଦୁର୍ନୀତିର କଥା ସ୍ମିତା ଜାଣିଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ବେଶ ଦୃଢତାର ସହିତ କହିଛନ୍ତି ସ୍ମିତାରାଣୀଙ୍କ ପରିବାର ଲୋକେ ।

ସ୍ମିତାରାଣୀ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ବାରମ୍ବାର ଏହା କହୁଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ । ଗତ କିଛି ଦିନ ଧରି କୌଣସି କାରଣ ପାଇଁ ଚିନ୍ତାରେ ରହୁଥିଲେ ସ୍ମିତାରାଣୀ । ମାନସିକ ଚାପରେ ଥିଲେ ସ୍ମିତାରାଣୀ । ଏହା ହୁଏତ ମୃତ୍ୟୁ ପଛର କାରଣ ହୋଇଥାଇପାରେ । କୌଣସି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ତାଙ୍କ ସ୍ୱାମୀ । ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୋଲିସ ସବୁଦିଗରୁ ତଦନ୍ତ ଜାରି ରଖିଛି । କିନ୍ତୁ ଏବେ ବି ଫିଟିନି ମୃତ୍ୟୁ ପଛର ରହସ୍ୟ ।

ତେବେ ଏହାକୁ ନେଇ ଜୋର ଧରିଛି ରାଜନୀତି । ବିଜେପି ପ୍ରତିନିଧି ଦଳ ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ସେପଟେ କଂଗ୍ରେସର ଚେତାବନୀ, ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।

୧୬ ତାରିଖ ଦିନ ସ୍ମିତାରାଣୀ ହରିଦାସପୁରର କେତେକ ପଂଚାୟତରେ ଭତା ବାଣ୍ଟି ସାରିବା ପରେ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ ଯାଇଥିଲେ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ । କିନ୍ତୁ ତା ପରେ ତାଙ୍କର ପତା ମିଳିନଥିଲା । ଗେଷ୍ଟହାଉସର ବାଥରୁମ ଭିତରୁ ଓଢଣୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା ଭିଏଲଡବ୍ଲୁ ସ୍ମିତାରାଣିଙ୍କ ମୃତଦେହ ।