କ୍ୟାପଟେନ୍ କୋହଲି ଏବଂ କୋଚ୍ ରବିଶାସ୍ତ୍ରୀଙ୍କୁ ସିଓଏର ନୋଟିସ ! ଟିମ ସଦସ୍ୟଙ୍କ ପତ୍ନୀ ଓ ବାନ୍ଧବୀଙ୍କ ବିଦେଶ ଗସ୍ତର ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ।

371

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କୁ ନୋଟିସ ପଠାଇଛି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଅଫ ଆଡମିନିଷ୍ଟ୍ରେସନ ବା ସିଓଏ । ନୋଟିସରେ ବିଦେଶ ଗସ୍ତ ସମୟରେ ଟିମ ସଦସ୍ୟମାନଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଗସ୍ତର ବିସ୍ତୃତ ବିବରଣୀ ମଗାଯାଇଛି । ସିଓଏର ଏହି ନିଷ୍ପତି ନା କେବଳ ବିସିସିଆଇକୁ ବିସ୍ମିତ କରିଛି ବରଂ ଜଷ୍ଟିସ ଲୋଧା ପ୍ୟାନେଲ ମଧ୍ୟ ଚକିତ ହୋଇଛନ୍ତି ।

ଏନେଇ ପୂର୍ବତନ ଚିଫ ଜଷ୍ଟିସ ଆରଏମ ଲୋଧା କହିଛନ୍ତି, ଏବେ ଏହି ମାମଲାର ନିଷ୍ପତି ବୋର୍ଡର ଲୋକପାଳ ଡିକେ ଜୈନ ନେବା ଠିକ ହେବ । ଜଷ୍ଟିସ ଲୋଧା କମିସନଙ୍କ ପ୍ରସ୍ତାବିତ ନୂଆ ସମ୍ବିଧାନ ବିରୋଧୀ ପଦକ୍ଷେପକୁ ଲୋକପାଳ ରୋକିବା ଉଚିତ । ସେପଟେ ବିସିସିଆଇ ଅଧିକାରୀ କହିଛନ୍ତି, ବିଦେଶ ଗସ୍ତରେ ଟିମ୍ ଇଣ୍ଡିଆର ସଦସ୍ୟ ପ୍ରେମିକା ଓ ପତ୍ନୀଙ୍କୁ ସାଥିରେ ନେବା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଏହି ବିବାଦ ଉଠିଛି । ବିଶ୍ୱକପ ସେମିଫାଇନାଲରେ ଭାରତର ପରାଜୟ ପରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆସନ୍ତାକାଲି ଖେଳାଳି ଚୟନ କରାଯିବ ।