ଅଡୁଆ ବଢ଼ାଇଲା କଂଗ୍ରେସ ଟିକେଟ୍ ତାଲିକା ! ନାଁ ନଥିବା ନେତା ଆଣିଲେ ଅଭିଯୋଗ, କାହିଁକି କଟିଲା ଟିକେଟ ? ନିରଞ୍ଜନ କହିଲେ ଭାଇରାଲ ତାଲିକା ମିଛ ।

267

କନକ ବ୍ୟୁରୋ : ଗତକାଲି କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭାଇରାଲ ହେବା ପରେ ଆଜି ଏହା ସତ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି, ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରେ କିଛି ସତ୍ୟତା ନାହିଁ । ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭାଇରାଲ ହେବା ପରେ ନେତାଙ୍କ ମନରେ ଛନକା ପଶିଯାଇଛି । ଆଜି ସକାଳୁ ପିସିସି ସଭାପତିଙ୍କ ବାସଭବନ ଆଗରେ ପୁଣି ଥରେ ଦେଖିବାକୁ ମିଳିଛି ଟିକେଟ୍ ଆଶାୟୀଙ୍କ ଭିଡ଼ ।

ପିସିସି ସଭାପତିଙ୍କ ବାସଭବନ ଆଗରେ ଆଜି ସେହି କଂଗ୍ରେସ ଟିକେଟ୍ ଆଶାୟୀଙ୍କ ଭିଡ଼ ଜମିଥିଲା, ଯେଉଁମାନଙ୍କ ନାଁ ଗତକାଲି ଠାରୁ ଗଣମାଧ୍ୟମରେ ପ୍ରକାଶିତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ନଥିଲା । ସକାଳୁ ସକାଳୁ ଆଶାୟୀମାନେ ପହଁଚି ଯାଇଥିଲେ, ଶେଷ ମୁହୂର୍ତର ଲବି କରିବା ପାଇଁ । ତେବେ ଗଣମାଧ୍ୟମ ଯେଉଁ ତାଲିକା ଦେଉଛି, ତାହା ମିଛ ବୋଲି କହିଛନ୍ତି ପିସିସି ସଭାପତି ।

ଗତକାଲି ରାଜ୍ୟ ନିର୍ବାଚନ କମିଟିର ବୈଠକ ପରେ ଏଆଇସିସିକୁ ସମ୍ଭାବିତ ପ୍ରାର୍ଥୀ ତାଲିକା ପଠାଗଲା ବୋଲି କୁହାଗଲା । ଗୋଟିଏ ପଟେ ପ୍ରାର୍ଥୀ ତାଲିକା ହାଇକମାଣ୍ଡଙ୍କ ନିକଟକୁ ଗଲା, ଅନ୍ୟପଟେ ଗଣମାଧ୍ୟମରେ ଭାଇରାଲ ହେଲା ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଏକାଧିକ ନାଁ ଏହି ତାଲିକାରେ ରହିଥିଲା । ତେବେ ଯେଉଁ ଆଶାୟୀଙ୍କ ନାଁ ଭାଇରାଲ ତାଲିକାରେ ନଥିଲା, ସେମାନେ ଦଳବଳ ଧରି ପହଁଚି ଯାଇଥିଲେ ପିସିସି ସଭାପତିଙ୍କ ଘରେ ।

ପିସିସି ସଭାପତି କହିଛନ୍ତି, ତାଲିକା ନେଇ ଯାହା ପ୍ରଚାର କରାଯାଇଛି ତାହା ସତ ନୁହେଁ । କେନ୍ଦ୍ରୀୟ କମିଟିକୁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁ ପ୍ରସ୍ତାବ ଦିଆଯାଇଛି, ସେଠାରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ତେବେ କାହାକୁ ଟିକେଟ ମିଳିବ, କାହାର ଟିକେଟ୍ କଟିବ, ଏ ନେଇ ନେତାଙ୍କ ମଧ୍ୟରେ ଛନକା ପଶିଯାଇଛି ।