ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଧୱନ ଓ ଭୁବନେଶ୍ୱରଙ୍କ ପରେ ଆହତ ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚର ହିରୋ ।

4,532

ଚଳିତ ବିଶ୍ୱକପରେ ଆହତ ସମସ୍ୟା ଭାରତୀୟ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ ଦମଦାର ଫର୍ମରେ ଥିବା ଶିଖର ଧୱନ ଆହତ ହୋଇ ବିଶ୍ୱକପ ଅଧାରୁ ଟିମରୁ ବାଦ୍ ପଡିଥିବା ବେଳେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି । ଏସବୁ ଭିତରେ ଆହତ ତାଲିକାରେ ବିଜୟ ଶଙ୍କରଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ଗତକାଲି ପ୍ରାକ୍ଟିସ ସେସନ ସମୟରେ ବିଜୟ ଶଙ୍କରଙ୍କ ଗୋଡରେ ଆଘାତ ଲାଗିଥିବା ଖବର ସାମ୍ନାକୁ ଆସିଛି ।

ଷ୍ଟାର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆଘାତ ସେତେଟା ଗୁରୁତର ନଥିଲେ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ବିଶ୍ୱକପରେ ଭାରତ ଯେତିକି ଆଗକୁ ବଢୁଛି, ଆହତ ସମସ୍ୟା ମଧ୍ୟ ସେତିକି ବଢିବାରେ ଲାଗିଛି । ବୁଧବାର ଅଭ୍ୟାସ କରୁଥିବା ବେଳେ ଯଶପ୍ରୀତ ବୁମରାହଙ୍କ ୟର୍କର ବଲ ବିଜୟ ଶଙ୍କରଙ୍କ ଗୋଡରେ ବାଜିଥିଲା । ବଲ୍ ଆଙ୍ଗୁଠିରେ ବାଜିବା ପରେ କିଛି ସମୟ ପାଇଁ ଅଭ୍ୟାସରୁ ଦୂରେଇ ରହିଥିଲେ ବିଜୟ । ତେବେ ମିଳିଥିବା ସୁତ୍ର ଅନୁଯାୟୀ, ବିଜୟ ଶଙ୍କରଙ୍କ ଗୋଡରେ ଲାଗିଥିବା ଆଘାତ ସେତେଟା ଗୁରୁତର ନୁହେଁ ବୋଲି ଭାରତୀୟ ଟିମ୍ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଶିଖର ଧୱନ ଆହତ ହୋଇ ବିଶ୍ୱକପରୁ ବାଦ୍ ପଡିଥିବା ବେଳେ ତାଙ୍କ ବଦଳ ଖେଳାଳି ଭାବେ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି । ସେହିଭଳି ଭୁବନେଶ୍ୱର କୁମାରଙ୍କ ଆହତ ହୋଇଥିବାରୁ ଆଗାମୀ କିଛି ମ୍ୟାଚ୍ ନ ଖେଳିପାରନ୍ତି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭୁବନେଶ୍ୱର ଠିକ୍ ହୋଇଯାଇପାରନ୍ତି ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ଯଦି ଭୁବନେଶ୍ୱର କୁମାରଙ୍କ ଆଘାତ ଠିକ୍ ନ ହୁଏ ତେବେ ଷ୍ଟାଣ୍ଡବାଇରେ ଥିବା ଖଲିଲ ଅହମ୍ମଦଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇପାରେ । ଏପରିକି ଅନୁଭବୀ ଇଶାନ୍ତ ଶର୍ମାଙ୍କୁ ମଧ୍ୟ ବିଶ୍ୱକପ ପାଇଁ ଡାକରା ଆସିପାରେ ।