ଧରିଲେ ଛାଡିଲେ ! ଗିରଫ ହେବାର କିଛି ଘଂଟା ମଧ୍ୟରେ ଜାମିନ ପାଇଲେ ବିଜୟ ମାଲ୍ୟା

31

କନକ ବ୍ୟୁରୋ : ଗିରଫ ହେଲେ ଜାମିନରେ ଗଲେ । ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଆଜି ଲଣ୍ଡନରୁ ଗିରଫ କରିଛି ସ୍କଟଲାଣ୍ଡ ପୋଲିସ । ତେବେ କୋର୍ଟରେ ହାଜର କରିବା ପରେ ତାଙ୍କୁ ଜାମିନ ମିଳିଛି । ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ପରିଶୋଧ ନକରି ଫେରାର ହୋଇଯାଇଛନ୍ତି ମାଲ୍ୟା । ଭାରତ-ବ୍ରିଟେନ୍ ପ୍ରତ୍ୟର୍ପଣ ଚୁକ୍ତି ଆଧାରରେ ତାଙ୍କୁ ଭାରତ ଆଣିବାକୁ ଯୋଜନା କରୁଛନ୍ତି ସରକାର । ହେଲେ ବର୍ଷେ ହେଲା ଲଣ୍ଡନରେ ଅଛନ୍ତି ବିଜୟ ମାଲ୍ୟା ।

ନଜର ପକାନ୍ତୁ ମାଲ୍ୟାଙ୍କ ବିରୋଧରେ କଣ ଥିଲା ଅଭିଯୋଗ । ଭାରତର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ଥିଲେ ମାଲ୍ୟା । କିଙ୍ଗ ଫିସର ଏୟାର ଲାଇନ୍ସ ନାଁରେ ସମସ୍ତ ଋଣ ନିଆଯାଇଥିଲା । ପରେ ଋଣ ପରିଶୋଧ ନକରି ଲଣ୍ଡନ ପଳାଇଥିଲେ ମାଲ୍ୟା । ଭାରତ ସରକାର ତାଙ୍କୁ ପଳାତକ ଘୋଷଣା କରିଥିଲେ । ଏପରିକି ଗତ ଜାନୁଆରୀରେ ମାଲ୍ୟାଙ୍କ ବିରୋଧରେ ସିବିଆଇ ଏନବିଡବ୍ଲୁ ଜାରି କରିଥିଲା । ଆଇଡିବିଆଇ ବ୍ୟାଙ୍କର ୭୨୦ କୋଟି ଟଙ୍କାର ଋଣ ସୁଝିନ ପାରିବାରୁ ଜାରି ହୋଇଥିଲା ଏହି ଜାମିନ ବିହୀନ ଗିରଫ ପରୱାନା ।

ସରକାରଙ୍କ ନାକ ତଳୁ ମାଲ୍ୟା ହୋଇଯାଇଥିଲେ ଗାୟବ । ଗତବର୍ଷ ସୁପ୍ରିମକୋର୍ଟ ମାର୍ଚ ୩୦ ତାରିଖ ସୁଦ୍ଧା ମାଲ୍ୟାଙ୍କୁ ପାସପୋର୍ଟ ସହ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ତାପୂର୍ବରୁ ମାର୍ଚ ୨ ତାରିଖରେ ଲଣ୍ଡନ ଫେରାର ହୋଇଯାଇଥିଲେ ମାଲ୍ୟା । ଚଳିବ ବର୍ଷ ଫେବୃଆରୀରେ ଭାରତ-ବ୍ରିଟେନ୍ ପ୍ରତ୍ୟର୍ପଣ ଚୁକ୍ତି ଆଧାରରେ ମାଲ୍ୟାଙ୍କୁ ଭାରତ ଫେରାଇବାକୁ ଆଗ୍ରହ ଦେଖାଇଥିଲା ନୂଆ ଦିଲ୍ଲୀ ।

ଭାରତର ବିଶିଷ୍ଟ ମଦ ବ୍ୟବସାୟୀ । ୟୁନାଇଟେଡ୍ ସ୍ପିରିିଟ୍ସର ପୂର୍ବତନ ଚେୟାରମ୍ୟାନ୍ । କିଙ୍ଗ ଅଫ୍ ଗୁଡ୍ ଟାଇମ୍ସ । ଏକାଧିକ ବ୍ୟବସାୟ ସହ ସେ ଜଡିତ । କ୍ରିକେଟ୍, ଫୁଟବଲ୍ ଏବଂ ଫର୍ମୁଲା ୱାନରେ ବି ରହିଛି ତାଙ୍କର ଟିମ୍ । କଣ୍ଣାଟକରୁ ଦୁଇ ଦୁଇ ଥର ରାଜ୍ୟ ସଭା ଯାଇଛନ୍ତି ବିଜୟ ମାଲ୍ୟା । ବିଳାସପୂର୍ଣ୍ଣ ଜୀବନ ଯାପନ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି ମାଲ୍ୟା ପରିବାର । ମାଲ୍ୟାଙ୍କ ଆଉ ଏକ ଚର୍ଚିତ ଅଧ୍ୟାୟ ହେଉଛି କିଙ୍ଗଫିସର କ୍ୟାଲେଣ୍ଡର । ପ୍ରତିବର୍ଷ କିଛି ନୂଆ ଏବଂ ହଟ୍ ଗାର୍ଲଙ୍କୁ ଦେଖିବାକୁ ମିଳିଥାଏ ଏହି କ୍ୟାଲେଣ୍ଡରରେ । ହେଲେ ସେଦିନର କିଙ୍ଗ ଅଫ୍ ଗୁଡ୍ ଟାଇମ୍ସ ଏବେ ବନିଯାଇଛନ୍ତି କିଙ୍ଗ ଅଫ୍ ବେଡ୍ ଟାଇମ୍ସ ।