କେମିତି ସ୍ମାର୍ଟ ହେବ ଆମ ରାଜଧାନୀ ? ଭେଣ୍ଡିଂ ଜୋନ୍ ସ୍ୱପ୍ନ ଅଧୁରା…୨୦୧୭ ପରଠୁ ବସିନି କମିଟି ବୈଠକ, କେବଳ ୭ଟିର ବ୍ୟବସାୟୀଙ୍କୁ ମିଳିଛି ପରିଚୟପତ୍ର: ଏବେବି ରେକର୍ଡ ବାହାରେ ୯ ଜୋନ

191

କନକ ବ୍ୟୁରୋ: ରାଜଧାନୀ ସ୍ମାର୍ଟ ହେବ। ସହରର ଟିକିନିଖି କଥାକୁ ଗୁରୁତ୍ବ ଦିଆଯିବ। ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀମାନଙ୍କୁ ବ୍ୟବସ୍ଥିତ କରାଯିବ। ଏଇ ଉଦ୍ଦେଶ୍ୟ ନେଇ ଭେଣ୍ଡିଂ ଜୋନ୍ ସ୍ଥାପନ ହେଲା। ମାତ୍ର ଦୋକାନ ଘର ବ୍ୟତୀତ ଏଯାଏ କୌଣସି ମୌଳିକ ସୁବିଧା ଦିଆଗଲା ନାହିଁ। ସହରରେ ଏଯାବତ୍ ୫୫ଟି ଭେଣ୍ଡିଂ ଜୋନ୍ ଥିବା ବେଳେ ଏହା ଉପରେ ରାଜଧାନୀର ୩ହଜାର ୫ଶହ ପରିବାର ନିର୍ଭର କରୁଛନ୍ତି। ଏହି ଭେଣ୍ଡିଂ ଜୋନ୍ ଉପରେ ରାଜଧାନୀର ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଛନ୍ତି। ମାତ୍ର ଭେଣ୍ଡିଂ ଜୋନ୍ ନିକଟରେ ଶୌଚାଳୟ ତ ଦୂରର କଥା, ପରିସ୍ରାଗାରଟିଏ ମଧ୍ୟ ଗଢ଼ା ଯାଇ ପାରିଲା ନାହିଁ। ନିକଟରେ ବିଏମସି ଭୁବନେଶ୍ବରକୁ ଖୋଲା ମଳତ୍ୟାଗମୁକ୍ତ ବା ଓଡିଏଫ୍ (++) ସହର ଭାବେ ଘୋଷଣା କରିଛି। ଯେଉଁ ସହରରେ ଜଣେ ହେଲେ ବି ବ୍ୟକ୍ତି ଖୋଲାରେ ମଳତ୍ୟାଗ କିମ୍ବା ପରିସ୍ରା କରୁ ନ ଥିବେ, ସେଇ ସହରକୁ ଓଡିଏଫ୍ (++) ଘୋଷଣା କରାଯାଏ। ମାତ୍ର ଏଠି ଭେଣ୍ଡିଂଜୋନ୍ କଡ଼ ମୁକ୍ତ ପରିସ୍ରାଗାର ପାଲଟିଥିଲେ ବି ବିଏମସି ଏହାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛି। ଏହା ବ୍ୟତୀତ ବହୁ ଭେଣ୍ଡିଂ ଜୋନରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନାହିଁ କି ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ।

ବାସ୍ତବରେ ସହରରେ ୫୫ଟି ଭେଣ୍ଡିଂ ଜୋନ୍ ଥିଲେ ହେଁ ଏ ପର୍ଯ୍ୟନ୍ତ କେବଳ ୪୬ଟି ସରକାରୀ ରେକର୍ଡଭୁକ୍ତ ହୋଇଛି। ୪୬ଟି ଭେଣ୍ଡିଂଜୋନର ବ୍ୟବସାୟୀମାନଙ୍କଠାରୁ ବର୍ଷକୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ୩ ହଜାର ଟଙ୍କା ଓ ଟ୍ରେଡ୍ ଲାଇସେନ୍ସ ବାବଦରେ ୫ଶହ ଟଙ୍କା ଆଦାୟ କରାଯାଉଛି। ତେଣୁ ନିୟମ ମୁତାବକ, ଏମାନଙ୍କୁ ଉଚ୍ଛେଦ କରାଯିବା ପୂର୍ବରୁ ଥଇଥାନ କରାଯିବା ବିଧେୟ। ମାତ୍ର ଅନ୍ୟ ୯ଟି ଭେଣ୍ଡିଂ ଜୋନ୍ ଏ ପର୍ଯ୍ୟନ୍ତ ରେକର୍ଡଭୁକ୍ତ ହୋଇନାହିଁ। ଫଳରେ ସେଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏବେ ବି ଆଶଙ୍କାରେ କାଳାତିପାତ କରୁଛନ୍ତି ।

ଅନ୍ୟପଟେ, ଭେଣ୍ଡିଂ ଜୋନଗୁଡ଼ିକ ବ୍ୟବସ୍ଥିତ ଭାବେ ଚାଲିବା ପାଇଁ ଏକ ଟାଉନ୍ ଭେଣ୍ଡିଂ କମିଟି (ଟିଭିସି) ଗଠନ କରାଯାଇଛି। ୭୦ ପ୍ରତିଶତ ବ୍ୟବସାୟୀ ଏବଂ ୩୦ ପ୍ରତିଶତ ବିଏମସି କର୍ମଚାରୀ, ସ୍ଥାନୀୟ ଅଞ୍ଚଳର ମୁରବି ଶ୍ରେଣୀର ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତାଙ୍କୁ ନେଇ ଏହା ଗଠନ ହୋଇଛି। ମାତ୍ର ୩ ବର୍ଷ ହେଲା ଏହାର ବୈଠକ ବସି ନାହିଁ। ତେବେ ବିଏମସି ପକ୍ଷରୁ ନିକଟ ଅତୀତରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ଉଠା ଦୋକାନୀଙ୍କ ସର୍ବେକ୍ଷଣ ହୋଇଥିଲେ ମଧ୍ୟ ତାହା ସେତିକିରେ ଅଟକି ଯାଇଛି। ତେଣୁ ଟିଭିସିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ସହିତ ନୂତନ ଭେଣ୍ଡିଂ ଜୋନ୍ ମାଧ୍ୟମରେ ସମସ୍ତ ଉଠା ଦୋକାନୀଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ।