କନକ ବ୍ୟୁରୋ : ଟଙ୍କା ପାଇଁ ବାତିଲ ହେଲା ନିର୍ବାଚନ । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଭେଲୋର ଲୋକସଭା ସିଟ୍ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରି ଦିଆଯାଇଛି। ପୂର୍ବରୁ ଏନେଇ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପଠାଇଥିବା ବେଳେ ଏପ୍ରିଲ ୧୮ରେ ମତଦାନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ଡିଏମକେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏକ ସିମେଣ୍ଟ ଗୋଦାମରୁ କୋଟି କୋଟି ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା ବୋଲି ଜଣାପଡ଼ିଥିଲା। ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ସିଟରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ, ଯାହାକୁ ଏବେ ବାତିଲ୍ କରି ଦିଆ ଯାଇଥିବା ସୂଚନା ମିଳିଛି ।
ଜିଲ୍ଲା ପୁଲିସ ଡିଏମକେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲା ଏପ୍ରିଲ ୧୦ରେ ଆୟକର ବିଭାଗର ଏକ ରିପୋର୍ଟ ଆଧାରରେ ରୁଜୁ କରାଯାଇଥିଲା। ଆନନ୍ଦ ବିରୋଧରେ ଜନପ୍ରତିନିଧି ନିୟମ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଆନନ୍ଦ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରାଯାଇଥିଲା ।