ଏମିତି ବି ହୁଏ ଆମ ପରୀକ୍ଷା ! ପରୀକ୍ଷାର୍ଥୀ ଆସିବା ପୂର୍ବରୁ ସରିଗଲା ପରୀକ୍ଷା, ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ଖେଳିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ

51

କନକ ବ୍ୟୁରୋ : ପରୀକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିଲେ ଛାତ୍ରଛାତ୍ରୀ । ଆଡମିଟ୍ କାର୍ଡ଼ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ ଛାତ୍ରଛାତ୍ରୀ । କିନ୍ତୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପରେ ସବୁକିଛି ସତେ ଯେମିତି ଫସର ଫାଟି ଯାଇଥିଲା । କାରଣ ପିଲା ପହଞ୍ଚିବା ପୂର୍ବରୁ ହିଁ ପରୀକ୍ଷା ସରି ଯାଇଥିଲା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜ୍ୟର ଶିକ୍ଷାର ପେଣ୍ଠସ୍ଥଳ ତଥା ଏକ ନମ୍ବର ବିଶ୍ୱବିଦ୍ୟାଳୟ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଆଇଏମବିଏ ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥିଲେ। ମେ’ ୧୫ ତାରିଖ ପୂର୍ବାହ୍ନରେ ପରୀକ୍ଷା ହେବ ବୋଲି ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ କ୍ୟାମ୍ପସରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ବିଷୟର ପ୍ରବେଶିକା ପରୀକ୍ଷା ୧୪ ତାରିଖଠାରୁ ଶେଷ ହୋଇଯାଇଛି। ଏହା ଶୁଣିବା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାମ୍ପସରେ ହୋହଲ୍ଲା କରିଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ଅଧିକାରୀ ପହଞ୍ଚି ପୁନଃବିଚାର ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ ମେ’ ୧୫ରେ ଆଇଏମବିଏ ବିଭାଗରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଆଡମିଟ୍ କାର୍ଡରେ ବି ତାରିଖ ଉଲ୍ଲେଖ ରହିଥିଲା। ସେହି ଅନୁଯାୟୀ ପରୀକ୍ଷା ଦେବା ଲାଗି କ୍ୟାମ୍ପସରେ ପହଞ୍ଚିଥିଲୁ। କିନ୍ତୁ ପରୀକ୍ଷା ଗତକାଲିଠାରୁ ସରିଯାଇଛି ବୋଲି ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ କହିଥିଲେ। ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସଫେଇ ଦେଇଥିଲେ ଯେ, ପରୀକ୍ଷା ସମୟରେ ପରିବର୍ତନ ହୋଇଥିଲା। ଏନେଇ ବିଶ୍ୱବିଦ୍ୟାଳୟ ୱେବସାଇଟରେ ବିଜ୍ଞପ୍ତି ଜାରି ହୋଇଛି। ପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ରାଜ୍ୟର ସବୁ ସ୍ଥାନରେ ନେଟ୍ ସୁବିଧା ନାହିଁ।

ଆଡମିଟ୍ କାର୍ଡରେ ପରୀକ୍ଷା ତାରିଖ ଦିଆଯିବା ପରେ ୱେବସାଇଟ ପୁଣିଥରେ ଦେଖିବାର କୌଣସି ଆବଶ୍ୟକତା ନାହିଁ। ଫୋନ୍ କିମ୍ବା ଇ-ମେଲ୍ ମାଧ୍ୟମରେ କାହିଁକି ଜଣାଗଲା ନାହିଁ ବୋଲି ପରୀକ୍ଷାର୍ଥୀମାନେ ପ୍ରଶ୍ନ କରିଥିଲେ। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ କହିଛନ୍ତି ଯେ, ଆଇଏମବିଏ ବିଭାଗର ପ୍ରବେଶିକା ପରୀକ୍ଷା ପୁଣିଥରେ ହୋଇପାରେ। ସବୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେଇପାରିବେ ସେଥିପାଇଁ ନାମଲେଖା କମିଟିର ସୁପାରିସ ଅନୁଯାୟୀ ସଂଶୋଧିତ ତାରିଖ ଓ ସମୟ ଜଣାଇ ଦିଆଯିବ।