ଘର ସମ୍ଭାଳିବା ସହ ୧୦ ରୁ ୧୨ ଘଣ୍ଟା ପାଠ ପଢୁଥିଲେ ଏହି ୟୁପିଏସସି ଟପ୍ପର !  ବିନା ତାଲିମରେ ୟୁପିଏସସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଆସିଥିଲେ ଟପ୍ପର ଅନୁ କୁମାରୀ ।

50

ଇଚ୍ଛାଶକ୍ତି ଯଦି ଦୃଢ଼ ହୁଏ, ସବୁ ବାଧାବିଘ୍ନକୁ ଅତିକ୍ରମ କରି ଜଣେ ଲକ୍ଷ୍ୟସ୍ଥଳରେ ପହଂଚିପାରେ । ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ହରିୟାଣା ରାଜ୍ୟର ଅନୁ କୁମାରୀ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା  ଅନୁ କୁମାରୀଙ୍କ କାହାଣୀ ଅନେକ ମହିଳାଙ୍କ ପାଇଁ ପ୍ରେରଣା ଯୋଗାଇବ। ଆଇଏଏସ୍ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ନିଜ ୪ବର୍ଷର କୁନି ପୁଅଠାରୁ ବି ଦୂରେଇ ରହିବାକୁ ପଡ଼ିଥିଲା ଅନୁ କୁମାରୀଙ୍କୁ । ୩୧ ବର୍ଷୀୟା ଅନୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ମାତକ ପାଠ୍ୟକ୍ରମ ଶେଷ କରିବା ପରେ ନାଗପୁର ଆଇଏମଟିରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ । ବିବାହ ପରେ ସେ ୟୁପିଏସସି ପରୀକ୍ଷା ପାଇଁ ଘରେ ହିଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୪ ବର୍ଷର ପୁଅ ଏବଂ ଘରର କାମ ବୁଝିବା ସହ ସେ ୧୦ ରୁ ୧୨ ଘଣ୍ଟା ପଢାପଢିରେ ମନ ଦେଉଥିଲେ । ଅନୁ ଯେଉଁ ଗାଁରେ ରହୁଥିଲେ ସେଠାକୁ ଦୈନିକ ଖବରକାଗଜ ମଧ୍ୟ ପହଞ୍ଚିପାରୁ ନଥିଲା । ଅନଲାଇନ୍ ମାଧ୍ୟମରେ ସେ ପାଠ୍ୟକ୍ରମ ଶେଷ କରିଥିଲେ । ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ୨୦୧୭ ପ୍ରାରମ୍ଭିକ ପରୀକ୍ଷାରେ ଭାରତରୁ ୯.୫ ପ୍ରତିଯୋଗୀ ଆପ୍ଲାଏ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ୯୯୦ ପ୍ରତିଯୋଗୀଙ୍କୁ ୟୁପିଏସସି ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ପାଇଁ ଚୟନ କରାଯାଇଛି । ଅନୁ କୁମାରୀ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ଟିପ୍ସ ଦେଇଛନ୍ତି ଯାହା ନିମ୍ନରେ କୁହାଯାଇଛି । ୧. ସର୍ବପ୍ରଥମେ ୟୁପିଏସସି ଷ୍ଟ୍ରକ୍ଚରକୁ ଭଲ ଭାବେ ବୁଝି ନିଅନ୍ତୁ । ଗତ କିଛି ବର୍ଷର ପ୍ରଶ୍ନପତ୍ର ଏକାଠି କରନ୍ତୁ ଏବଂ କିଭଳି ଭାବେ ପ୍ରଶ୍ନ ଆସୁଛି ଏହା ପ୍ରତି ନଜର ରଖନ୍ତୁ ।

୨. କରେଣ୍ଟ ହାପେନିଙ୍ଗକୁ ଧ୍ୟାନ ଦିଅନ୍ତୁ । ନ୍ୟୁଜ୍ ସହ ସବୁବେଳେ ଅପଡେଟ୍ ରୁହନ୍ତୁ । ପ୍ରତିଦିନ ଖବରକାଗଜ ପଢନ୍ତୁ ଏବଂ କେବଳ ହେଡଲାଇନ୍ ନପଢି ଏହା ଭିତରର ଖବରକୁ ପଢନ୍ତୁ । ନ୍ୟୁଜ୍ ଡିବେଟ୍ ଉପରେ ନଜର ରଖନ୍ତୁ ଏବଂ ନିଜ ମତାମତ ରଖିବାକୁ ଚେଷ୍ଟା କରନ୍ତୁ ।

୩. ଏନସିଇଆରଟିର ବହି ପଢିବା ଆରମ୍ଭ କରିଦିଅନ୍ତୁ । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବହି ପଢିବା ଆରମ୍ଭ କରନ୍ତୁ । ସ୍କୁଲରେ ଯେତେ ପଢିଥିଲେ ମଧ୍ୟ ବାରମ୍ବାର ଏହି ସବୁ ବହିକୁ ପଢନ୍ତୁ ଏହାଦ୍ୱାରା ଆପଣଙ୍କ ବେସ୍ ମଜବୁତ ହେବ ।

୪. ପ୍ରସିଦ୍ଧ ଲେଖକଙ୍କ ଲେଖା ପୁସ୍ତକ ପଢନ୍ତୁ । ୟୁପିଏସସି ସିଲାବସ୍ ଦେଖି ନିଜର ଅପ୍ସନାଲ ବିଷୟକୁ ଚୟନ କରନ୍ତୁ । ବିଷୟ ଚୟନ ହେବା ପରେ ଏହା ଉପରେ ପଢିବା ଆରମ୍ଭ କରିଦିଅନ୍ତୁ । ୟୁପିଏସସି ସିଲାବସ୍ ସହ ପ୍ରସିଦ୍ଧ ଲେଖକଙ୍କ ବହି ମଧ୍ୟ ପଢନ୍ତୁ । ରାଜନୀତି ଏବଂ ଇତିହାସ ଉପରେ ଲେଖା ପୁସ୍ତକ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କୁ ସାକ୍ଷାତକାରରେ ନିଜର ମତ ରଖିବାକୁ ସହଜସାଧ୍ୟ ହେବ ।