କନକ ବ୍ୟୁରୋ : ରାଜରାସ୍ତାରୁ ବିଧାନସଭା ସବୁଠି ପେଟ୍ରୋଲ ଦର ବୃଦ୍ଧିର ତାତି । ମୌସୁମୀ ଅଧିବେଶନର ଶେଷ ଦିନରେ ହୁଲୁସ୍ତୁଲ ହୋଇଛି ଗୃହ । ଅଛେ ଦିନର ନାରା ଦେଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ମୋଦି ସରକାର ବ୍ୟବସାୟୀଙ୍କ ଫାଇଦା ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ହେଲେ ବିଜେପିର ଜବାବ ତେଲ ଟିକସର ବଡ ଭାଗ ପାଉଛି ରାଜ୍ୟ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ରହିଥିବାବେଳେ ଭାରତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଟାମୋଟି ସରଗରମ ହୋଇଛି ରାଜ୍ୟ ରାଜନୀତି ।
ପ୍ରଥମେ ନଜର ପକାନ୍ତୁ, ଦରବୃଦ୍ଧି ନେଇ କାହାର ଯୁକ୍ତି କଣ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯୁକ୍ତି-୦୧
ବିଜେପି : ରାଜ୍ୟ ସରକାର ପେଟ୍ରୋଲ ପିଛା ୧୩ ଟଙ୍କା ୨୬ ଓ ଡିଜେଲରେ ୧୨ ଟଙ୍କା ୫୦ ପଇସା ନିଜସ୍ୱ ଟିକସ ପାଉଛନ୍ତି
ବିଜେଡି : ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲରେ ୧୨୫% ଓ ଡିଜେଲରେ ୫୦୦% ଉତ୍ପାଦ ଶୁଳ୍କ ବଢାଇଛନ୍ତି
ଯୁକ୍ତି-୦୨
ବିଜେପି : ରାଜ୍ୟରେ ୨୬% ଅତିରିକ୍ତ ଟିକସ ଆଦାୟ ହେଉଛି । ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗ ଠାରୁ ଅଧିକ
ବିଜେଡି : ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ନବୀନ ସରକାର ଭାଟ ଦର କମ ରଖିଛନ୍ତି
ଯୁକ୍ତି-୦୩
ବିଜେପି : କେନ୍ଦ୍ର ସରକାର ତେଲ ବିକ୍ରିରୁ ଯାହା ଟିକସ ପାଉଛନ୍ତି ତା ୪୨% ରାଜ୍ୟ ତହବିଲକୁ ଆସୁଛି । ୨୦୧୬-୧୭ରେ ରାଜ୍ୟ ୪, ୨୮୪ କୋଟି ରାଜସ୍ୱ ପାଉଛି
ବିଜେଡି : ଅହେତୁକ ମୂଲ୍ୟ ବୃଦ୍ଧିରେ ତୈଳ କଂପାନୀ ଗୁଡିକ ୧୬୦% ଲାଭବାନ ହେଉଛନ୍ତି । ଡିଲର ମାନଙ୍କ କମିଶନ ବଢାଇ ଦିଆଯାଇଛି ।
ସେପଟେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପି ସବୁବେଳେ ବେପାରୀଙ୍କୁ ସାହାଯ୍ୟ କରେ, ଦରବୃଦ୍ଧି ଏହାର ପ୍ରମାଣ । ବିଜେପି ଓ ବିଜେଡି କ୍ୟାମ୍ପରୁ କିଛି ଏଭଳି ଯୁକ୍ତି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ପେଟ୍ରୋଲ ତାତିର ଛିଟା ବିଧାନସଭାରେ ମଧ୍ୟ ବେଶ ଅନୁଭୁତ ହୋଇଥିଲା । ବମିଖାଲ ବ୍ରିଜ୍ ସଂକ୍ରାନ୍ତୀୟ ମୁଲତବୀ ଆଲୋଚନା ହେବାକୁ ଥିବା ବେଳେ, ଏହା ପେଟ୍ରୋଲ ସାମ୍ନାରେ ଫିକା ପଡିଯାଇଥିଲା ।
ଅଭିନବ ଉପାୟରେ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଟୁନ୍ ଥିବା ଗାଉନ୍ ପିନ୍ଧି ଗୃହ ଭିତରେ କରିଥିଲେ ପ୍ରତିବାଦ । ନାରା ଥିଲା, ପେଟ୍ରୋଲ, ଡିଜେଲ ଦର ଲଗାମହୀନ, ମୋଦି ଦେଇଛନ୍ତି ଅଛେ ଦିନ ।
ଏହାରି ଭିତରେ ସୋମବାର ଠାରୁ ବିଜେଡି ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି କହିଛ, ସାଧାରଣ ଓଡିଆ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ନୁହେଁ ବରଂ ତେଲ ବାହାନାରେ ଧର୍ମେନ୍ଦ୍ରଙ୍କ ଉପରେ ରାଜନୈତିକ ଆକ୍ରମଣର ବାହାନା କରିଛି ବିଜେଡି ।
ଆପଣ ଯଦି ଗୋଟିଏ ଲିଟର ପେଟ୍ରୋଲ ବା ଡିଜେଲ କିଣୁଛନ୍ତି, ତାହେଲେ ଆପଣ କେତେ ଟଙ୍କା ଟିକସ ଆକାରରେ ଦେଉଛନ୍ତି ତାର ଏକ ହିସାବ ଜାଣିରଖନ୍ତୁ । ଯଦି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ହୁଏ ତେବେ ରାଜ୍ୟ ଓ କେନ୍ଦ୍ରକୁ ଆପଣ ଦେଉଛନ୍ତି ପ୍ରାୟ ୩୯ ଟଙ୍କା ଟିକସ । ଅର୍ଥାତ୍ ଟିକସକୁ ବାଦ ଦିଆଗଲେ, ଆପଣ ଲିଟରଟିଏ ପେଟ୍ରୋଲ ୩୧ ଟଙ୍କାରେ ପାଇପାରିବେ । ସେହିଭଳି ଯଦି ଡିଜେଲ ଲିଟର ପିଛା ଦର ୫୮ ଟଙ୍କା ହୁଏ ତେବେ ଆପଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୬ ଟଙ୍କା ଟିକସ ଦେଉଛନ୍ତି । ଯଦି ଏହି ଟିକସ ପରିମାଣକୁ ବାଦ ଦିଆଯାଏ, ତେବେ ଆପଣ ୩୨ ଟଙ୍କାରେ ଗୋଟିଏ ଲିଟର ଡିଜେଲ ପାଇପାରିବେ । ତେଣୁ ଟିକସ ବଢିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଯଦିଓ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବହୁ ପରିମାଣରେ କମିଯାଇଛି, କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି । ଏବେ କେନ୍ଦ୍ର ସରକାର ସ୍ଥିର କରନ୍ତୁ, ତେଲ ଉପରୁ ଟିକସ କମିବା ଉଚିତ କି ନୁହେଁ ।