କେନ୍ଦ୍ର ସରକାରଙ୍କ ସଂଶୋଧିତ ଏସସି ଏସଟି ଆଟ୍ରୋସିଟିଜ୍ ଆଇନ ବିରୋଧରେ ଭାରତ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସବର୍ଣ୍ଣ ସଂଗଠନ । ଏପରିକି ଭାରତ ବନ୍ଦକୁ ସଫଳ କରିବା ପାଇଁ କେଉଁଠି ରାସ୍ତାରୋକ କରାଯାଇଛି ତ ପୁଣି କେଉଁଠି ଦୋକାନ ବଜାର ବନ୍ଦ କରାଯାଇଛି । ଏସସି/ଏସଟି ଆଟ୍ରୋସିଟିଜ ଆକ୍ଟକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ବଲବତ୍ତର ରଖିବା ଏହି ଆନ୍ଦୋଳନର ମୂଳ ଲକ୍ଷ୍ୟ । ଆଉ ଏଥିପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଉଚ୍ଚଜାତି ଓ ଓବିସି ସଂଗଠନ । । ଏଥିପାଇଁ ଦେଶର କିଛି ସ୍ଥାନରେ ହାଇଆଲର୍ଟ ଓ ୧୪୪ ଧାରା ଜାରି କରାଯାଇଛି ।

ଗତ ମାର୍ଚ୍ଚ ୨୦ ତାରିଖରେ ଏସସି/ଏସଟି ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟି ଆକ୍ଟର ଦୁରୁପୋଯୋଗ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ଆଉ ଏହାପରେ ତେଜିଥିଲା ବିରୋଧ । ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏପ୍ରିଲ ୨ ତାରିଖରେ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ଏସସି/ଏସଟି ସଂଗଠନ । ଏପରିକି ଏହି ଆନ୍ଦୋଳନ ସମୟରେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା । ତେବେ ପରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଜୁଲାଇ ମାସରେ ଏସସି/ଏସଟି ଆଟ୍ରୋସିଟିଜ୍ ଆଇନକୁ ସଂଶୋଧନ କରିଥିଲେ ସରକାର ।ଆଉ କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ନେଇ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଉଚ୍ଚ ଜାତି ଓ ସବର୍ଣ୍ଣ ସଙ୍ଗଠନ ।

କଣ ଏହି ଏସସି/ଏସଟି ଆକ୍ଟ?
ଅନୁସୂଚତି ଜାତି ଓ ଜନଜାତିଙ୍କୁ ନେଇ ଦେଖାଦେଉଥିବା ଭେଦଭାବ ଓ ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ୧୯୮୯ରେ ଏସସି/ଏସଟି ଅଧିନିୟମ ଆସିଥିଲା ।ଜମ୍ମୁ ଓ କାଶ୍ମୀରକୁ ଛାଡି ଦେଶର ଅନ୍ୟ ରାଜ୍ୟରେ ଏହା ଲାଗୁ କରାଯାଇଥିଲା ।ଏହି ଅଧିନିୟମ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଥିଲା । ଯାହା ସବର୍ଣ୍ଣ ବିରୋଧୀ ବୋଲି ଅଭିଯୋଗ ହୋଇ ଆସୁଥିଲା । । ଏସସିଏସଟି ଆଇନ୍ ଅନୁଯାୟୀ ଯାହା ବିରୋଧରେ ଅଭିଯୋଗ ଆସିବ ସେହି ଲୋକ ନାମରେ ପ୍ରଥମେ ଏକ ଏଫଆଇଆର ହେବ ଓ ବିନା ତଦନ୍ତରେ ଗିରଫ କରାଯିବ । ସବୁଠୁ ବଡ କଥା ହେଲା ଏହି ଆଇନ ଅନୁଯାୟୀ ଆସୁଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ପାଇଁ ଅନ୍ତରୀଣ ଜାମିନର ମଧ୍ୟ ବ୍ୟବସ୍ଥା ନଥିଲା । ଯାହା ଦ୍ୱାରା ଏହି ଆଇନର ଦୁରୁପଯୋଗ ଦିନକୁ ଦିନ ବଢିବା ଆରମ୍ଭ ହୋଇଥିଲା । ଆଉ ଶେଷରେ ବାଧ୍ୟ ହୋଇ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ସହ ଏହି ନିୟମର ସଂଶୋଧନ କରିଥିଲେ ।

ଏସସି/ଏସଟି ଆକ୍ଟରେ କଣ ସଂଶୋଧନ କରିଥିଲେ ସୁପ୍ରିମକୋର୍ଟ ?
ମାର୍ଚ୍ଚ ୨୦ରେ ଏସସି/ଏସଟି ପ୍ରିଭେନସନ ଅଫ୍ ଆଟ୍ରୋସିଟିଜ ଆକ୍ଟର ଦୁରୁପଯୋଗ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଦିନକୁ ଦିନ ଏହି ଆଇନ ଆଧାରରେ ମିଛ ମାମଲା ବଢି ବଢି ଚାଲୁଥିବା ବେଳେ ଏହି ଆଇନରେ କିଛି ପରିବର୍ତ୍ତନ ଆଣିଥିଲେ ସୁପ୍ରିମକୋର୍ଟ । ଯେଉଁଥିରେ କୁହାଯାଇଥିଲା-
-ଅଭିଯୋଗ ମିଳିଲା ମାତ୍ରେ ଏସସି ଓ ଏସଟି କ୍ରୁରତା ନିବାରଣ ଆଇନ ବଳରେ ସରକାରୀ କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇପାରିବନାହିଁ ।
-ଅଗ୍ରୀମ ଜାମିନ୍ ପାଇଁ ମଧ୍ୟ ଆବେଦନ କରିପାରିବେ ଅଭିଯୁକ୍ତ ।
-ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ହେବା ପରେ ହିଁ ଅଭିଯୁକ୍ତକୁ ଗିରଫ କରିପାରିବ ପୋଲିସ ।
-ଅଭିଯୋଗର ୭ ଦିନ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
-ଅଭିଯୋଗର ପ୍ରାଥମିକ ତଦନ୍ତ ଡିଏସପି କିମ୍ବା ଉଚ୍ଚ ପାହ୍ୟା ପୋଲିସ ଅଧିକାରୀ କରିବେ ।

ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତି ବିରୋଧରେ ଏସସି-ଏସଟି ସଙ୍ଗଠନ ଗୁଡିକ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ । ଏପରିକି ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ । ଯାହାଦ୍ୱାରା ଏସସି/ଏସଟି ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ଯଥାରୀତି କାଏମ ରଖିବାକୁ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର ।

ସଂଶୋଧନ ପରେ କିଭଳି ହେବ ଏସସି/ଏସଟି ଆକ୍ଟ ?
ଏସସି/ ଏସଟି ସଂଶୋଧନ ବିଧେୟକ ୨୦୧୮ ଜରିଆରେ ମୂଳ ଆଇନରେ ଧାରା ୧୮ ଏ ଯୋଡି ଦିଆଯିବ । ଯାହାଦ୍ୱାରା ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରଦ୍ଦ କରାଯାଇପାରିବ ।ଏହି ଆଇନ ଅନୁଯାୟୀ, ମାମଲା ରୁଜୁ ହେବା କ୍ଷଣି ଅଭିଯୁକ୍ତଙ୍କୁ ବିନା ତଦନ୍ତରେ ଗିରଫ କରାଯିବ ।ସଂଶୋଧିତ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମଧ୍ୟ ମିଳିବ ନାହିଁ । ଜାତିସୂଚକ ଶବ୍ଦ ବ୍ୟବହାରର ଅଭିଯୋଗ ଆସିଥିଲେ ତୁରନ୍ତ ମାମଲା ରୁଜୁ କରାଯିବ । ଏଭଳି ମାମଲାର ଶୁଣାଣି କେବଳ ସ୍ପେଶାଲ କୋର୍ଟରେ ହିଁ ହେବ । ସରକାରୀ ଅଧିକାରୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟି ଦାଖଲ କରିବା ପୂର୍ବରୁ ତଦନ୍ତକାରୀ ଅଫିସରଙ୍କୁ କୌଣସି ଅଥରିଟିଙ୍କ ଠାରୁ ଅନୁମତି ନେବାକୁ ପଡିବ ନାହିଁ । ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ଜାତୀୟ ରାଜନୀତିରେ କଣ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।