ଭାରତୀୟ ତଥ୍ୟ ପାକିସ୍ତାନକୁ ଦେଉଥିବା ଅଭିଯୋଗରେ ବିଏସଏଫ ଯବାନ ଗିରଫ : ମୋବାଇଲ ଫୋନ ଜରିଆରେ ଦେଉଥିଲେ ଫଟୋ

ବିଏସ୍ଏଫ୍ ଯବାନ ଗିରଫ

204

କନକ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାରେ ଲଗାଯାଇଥିବା ତାରବାଡ଼ ଏବଂ ସୀମା ସହ ସଂଲଗ୍ନ ବିଭିନ୍ନ ସଡ଼କର ଫଟୋ ଉଠାଇ ଆଇଏସ୍ଆଇ ଏଜେଣ୍ଟକୁ ପଠାଇବା ଅଭିଯୋଗରେ ଜଣେ ବିଏସ୍ଏଫ୍ ଯବାନଙ୍କୁ ଗିରଫ କରାଯାଇଛି। ଖୁବଶୀଘ୍ର ପୁଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ଜଣାପଡ଼ିଛି। ରବିବାର ପୁଲିସ ଦେଇଥିବା ସୂଚନା ମୁତାବକ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର କର୍ମଚାରୀ ଶେଖ୍ ରୈଜୁଦ୍ଦିନଙ୍କ କାର୍ଯ୍ୟାକଳାପ ଉପରେ କିଛିଦିନ ହେଲା ସନ୍ଦେହ ଉପୁଜିଥିଲା। ତେଣୁ ତାଙ୍କ ଉପରେ ନିୟମିତ ଭାବେ ନଜର ରଖାଯାଇଥିଲା। ଶେଷରେ ତାଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ମହାରାଷ୍ଟ୍ରର ରେନପୁରା ଗ୍ରାମର ବାସିନ୍ଦା ରୈଜୁଦ୍ଦିନ୍ ବିଏସ୍ଏଫରେ ୨୯ତମ ବାଟାଲୟିନରେ କାର୍ଯ୍ୟ କରୁଥିଲେ। ତେବେ କିଛି ଦିନ ହେବ ସେ ପଞ୍ଜାବର ଫିରୋଜପୁର ସେକ୍ଟରରେ ମୁତୟନ ହୋଇଥିଲେ।

 

କିନ୍ତୁ ଏହାପରେ ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇର ଏଜେଣ୍ଟ ମିର୍ଜା ଫୈଜଲ୍ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ସେ ଭାରତୀୟ ସୀମା ସଡ଼କର ଫଟୋ ଏବଂ ବିଭିନ୍ନ ତଥ୍ୟ ପଠାଇ ଆସୁଥିଲେ। ବିଏସ୍ଏଫର ବରିଷ୍ଠ ଅଧିକାରୀଙ୍କ ଫୋନ୍ ନମ୍ବର ଏବଂ କିଛି ଗୁଇନ୍ଦା ସୂଚନା ମଧ୍ୟ ସେ ଯୋଗାଇ ଆସୁଥିଲେ। ପୁଲିସ ଦର୍ଶାଇଛି ଯେ ଅଭିଯୁକ୍ତ ରୈଜୁଦ୍ଦିନ୍ ନିଜ ମୋବାଇଲ୍ ଫୋନ୍ ଜରିଆରେ ଆଇଏସ୍ଆଇ ଏଜେଣ୍ଟ ଫୈଜଲକୁ ତଥ୍ୟ ଯୋଗାଉଥିଲେ। ବିଏସ୍ଏଫର ୨୯ତମ ବାଟାଲିୟନର ଉପକମାଣ୍ଡାଣ୍ଟଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଫିରୋଜପୁରର ମମଦୁତ ଥାନାରେ ରୈଜୁଦ୍ଦିନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସରକାରୀ ଗୋପନୀୟତା ଆଇନ ଏବଂ ରାଷ୍ଟ୍ରୀୟ ନିରାପତ୍ତା ଆଇନର ବିଭିନ୍ନ ଧାରା ଅନୁସାରେ ଏହି ମାମଲା ରୁଜୁ କରାଯାଇଛି। ତଦନ୍ତ ଅଧିକାରୀ ରଞ୍ଜିତ୍ ସିଂହ କହିଛନ୍ତି ଯେ ରୈଜୁଦ୍ଦିନଙ୍କୁ ପୁଲିସ ରିମାଣ୍ଡରେ ପଠାଇବା ପାଇଁ ତାଙ୍କୁ କୋର୍ଟଚାଲାଣ କରାଯିବ।