ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକ କୂଲଦୀପ ସେଙ୍ଗରଙ୍କୁ ହୋଇପାରେ ଆଜୀବନ ଜେଲ । ଆସନ୍ତା ୧୬ରେ ବଡ ଶୁଣାଣି

1,420

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆସିଲା ନୂଆ ମୋଡ । ଅଭିଯୁକ୍ତ ବିଧାୟକ କୂଳଦୀପ ସେଙ୍ଗରଙ୍କୁ ନେଇ ହୋଇଥିବା ମାମଲାର ରାୟ ସଂରକ୍ଷିତ । ଆସନ୍ତା ୧୬ରେ ହେବ ଉକ୍ତ ମାମଲାର ବଡ ଶୁଣାଣି । ରାୟକୁ ସଂରକ୍ଷିତ ରଖିିଥିବା ଦିଲ୍ଲୀର ତିସ ହଜାରୀ କୋର୍ଟ ଡିସେମ୍ବର ୧୬ରେ ଉନ୍ନାଓ ଦୁଷ୍କର୍ମ ମାମଲାର ରାୟ ଶୁଣାଇବେ । ତେବେ ଉକ୍ତ ମାମଲାରେ ଯଦି ବିଧାୟକ ସେଙ୍ଗର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ ଜେଲ ହୋଇପାରେ ।

ସେପଟେ ସେଙ୍ଗରଙ୍କ ସହଯୋଗୀ ଶଶି ସିଂହ ଉପରେ ମଧ୍ୟ ସେଦିନ ରାୟ ଆସିବ । ଦୁଷ୍କର୍ମ ପାଇଁ ସେଙ୍ଗରଙ୍ଗ ପାଖକୁ ପୀଡିତାକୁ ନେଇ ଯାଇଥିବା ଅଭିଯୋଗରେ ଶଶିଙ୍କ ଉପରେ ବି ବଡ ସଜା ଶୁଣାଇ ପାରନ୍ତି କୋର୍ଟ । ତେବେ ଉନ୍ନାଓ ଦୁଷ୍କର୍ମ ନେଇ ହୋଇଥିବା ମୋଟ ୫ଟି ଏତଲା ଉପରେ ୧୬ ତାରିଖ ଦିନ ରାୟ ଶୁଣାଇବେ କୋର୍ଟ ।

ତେବେ ଜୁନ ୨୦୧୭ରେ ହୋଇଥିବା ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡିତା ଜୁଲାଇରେ ନିଜ ଦାଦାଙ୍କୁ ଜେଲକୁ ଭେଟିବାକୁ ଯିବା ବାଟରେ ତାଙ୍କ କାର ଉପରେ ଟ୍ରକ ମଡାଇଦେଇଥିଲେ ଦୁର୍ବୃତ୍ତ । ଯେଉଁଥିରେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ହୋଇ ଏବେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଉକ୍ତ ଘଟଣା ପରେ ପୀଡିତାଙ୍କ ପରିବାର ଲୋକେ ବିଧାୟକ ସେଙ୍ଗରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଯାହାର ଶୁଣାଣି ଆସନ୍ତା ୧୬ରେ ହେବ । ତେବେ ହାଇଦ୍ରାବାଦ ଘଟଣା ପରେ ସାରା ଦେଶରେ ଦୁଷ୍କର୍ମକାରୀଙ୍କ ଉପରେ କଡା ଆଭିମୁଖ୍ୟ ନିଆଯାଉଥିବା ବେଳେ ବିଧାୟକ ସେଙ୍ଗରଙ୍କ ଉପରେ କୋର୍ଟ କିଭଳି କାର୍ଯ୍ୟାନୁଷ୍ଠାନ ନେବେ ତାକୁ ଅପେକ୍ଷା ।