ଯନ୍ତ୍ରଣା ଜୁଇରେ ଝିଅ ଜଳିଯିବା ପରେ ଯୋଗୀ ସରକାରଙ୍କୁ ଗୁହାରୀ କଲେ ଉନ୍ନାଓ ପୀଡିତାଙ୍କ ବାପା : କହିଲେ ହାଇଦ୍ରାବାଦ ଭଳି ମୋ ଝିଅର ଦୁଷ୍କର୍ମକାରୀଙ୍କୁ ଗୋଡେଇ ଗୋଡେଇ ଗୁଳି କର ।

1,184

କନକ ବ୍ୟୁରୋ : ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ଶୁକ୍ରବାର ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିଛନ୍ତି ଉନ୍ନାଓ ପୀଡିତା । ହାଇଦ୍ରାବାଦରେ ଦିଶା ଦୋଷୀଙ୍କୁ ଗୁଳି କରି ପୋଲିସ ସଫା କରିବାର ଦିନକ ପରେ ଉନ୍ନାଓର ଏଭଳି କାଣ୍ଡ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଗୋଟିଏ ପଟେ ଦେଶ ହାଇଦ୍ରାବାଦ ପାଇଁ ଉତ୍ସବ ମନାଉଥିବା ବେଳେ ଆଜି ଭୋରୁ ଉନ୍ନାଓରୁ ଆସିଥିବା ଏ ଖବର ପୁଣି ଥରେ ସମସ୍ତଙ୍କୁ ଭାରାକ୍ରାନ୍ତ କରିଛି ।
ତେବେ ଯନ୍ତ୍ରଣା ଜୁଇରେ ଉନ୍ନାଓ ପୀଡିତା ଜଳି ଜଳି ମରିଯିବା ପରେ ମୁହଁ ଖୋଲିଛନ୍ତି ପୀଡିତାଙ୍କ ବାପା । ନିଜ ଝିଅକୁ ନ୍ୟାୟ ଦେବାକୁ ଯୋଗୀ ସରକାରଙ୍କୁ ହାତ ଯୋଡି ନେହୁରା ହୋଇଛନ୍ତି ପୀଡିତାଙ୍କ ବାପା । ଝିଅ ସହ ଏଭଳି ବର୍ବରକାଣ୍ଡ ଘଟାଇଥିବା ପିଶାଚଙ୍କୁ ଫାଶୀ ଦିଆଯାଉ ବୋଲି ପୀଡିତାଙ୍କ ବାପା ନିବେଦନ କରିଛନ୍ତି । ତାସହ ହାଇଦ୍ରାବାଦ ଭଳି ଗୋଡେଇ ଗୋଡେଇ ଦୁଷ୍କର୍ମକାରୀଙ୍କୁ ଗୁଳି କରାଯାଉ ବୋଲି ଯୋଗୀଙ୍କୁ ଗୁହାରୀ କରିଛନ୍ତି ଉନ୍ନାଓ ପୀଡିତାଙ୍କ ବାପା ।

ତେବେ ଝିଅ ବଞ୍ଚିଥିବା ଅବସ୍ଥାରେ ସିନା ତାକୁ ନ୍ୟାୟ ମିଳି ପାରିଲାନି ମାତ୍ର ଚାଲିଗଲା ପରେ ହୁଏତ ନ୍ୟାୟ ମିଳିବ ଏଇ ଆଶାରେ ସରକାରଙ୍କୁ ବୀନତି କରିଛନ୍ତି ବାପା । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଓ ଆମକୁ ନ୍ୟାୟ ମିଳୁ ତା ପରେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିପାରିବ ବୋଲି ପୀଡିତାଙ୍କ ବାପା କହିଛନ୍ତି । ଅନ୍ୟ ପକ୍ଷରେ ମୃତ୍ୟୁ ପୂର୍ବରୁ ପୀଡିତା ଭାଇକୁ କହିଥିଲେ, ମୁଁ ବଂଚିବାକୁ ଚାହେଁ, ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି । ହେଲେ ଜୀବନ ଯୁଦ୍ଧରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ।

ଆଇଜି ପ୍ରବୀଣ କୁମାରଙ୍କ କହିବା ମୁତାବକ, ପୀଡିତାଙ୍କୁ ଜାଳି ଦେଇଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ଅଭିଯୁକ୍ତ ପୂର୍ବ ବର୍ଷ ପୀଡିତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ସେତେବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିଲା । ଯିଏ ନିକଟରେ ଜାମିନରେ ବାହାରକୁ ଆସିଥିଲା । ଗୁରୁବାର ସକାଳେ ପୀଡିତାଙ୍କୁ ପାଞ୍ଚଜଣ ନୃଶଂସତାର ସବୁ ସୀମା ଟପି ଜୀଅନ୍ତା ଜାଳି ଦେଇଥିଲେ । ୯୦ଭାଗ ଜଳି ଯାଇଥିବା ପୀଡିତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପଟିଲାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । ଶେଷରେ ଶୁକ୍ରବାର ରାତି ୧୧.୪୦ରେ ତାଙ୍କର ମୃତ୍ୟୁ ହୋଇଛି ।