ପରୀକ୍ଷା ହଲର ନିଆରା ଦୃଶ୍ୟ । ଏକାଠି ହେଲେ ୪ ପୀଢିର ପରୀକ୍ଷାର୍ଥୀ, ବୟସର ଅପରାହ୍ନରେ ଛାତ୍ର ପାଲଟିଲେ ବୃଦ୍ଧ ।

382

କନକ ବ୍ୟୁରୋ : ପରିଣତ ବୟସରେ ଛାତ୍ର ପାଲଟିଲେ । ଦିନେ କିଏ ଡ଼ାକ୍ତର ଥିଲେ ତ କିଏ ଥିଲେ ଇଂଜିନିୟର । ଆଉ କିଏ କର୍ମମୟ ଜୀବନରେ ଅନେକ ଛାତ୍ରଙ୍କୁ ଗଢି ତୋଳିଛନ୍ତି । ଜ୍ଞାନ ଆହରଣ ପାଇଁ କୌଣସି ବୟସ ସୀମା ନାହିଁ । ସେଥିପାଇଁ ତ ଏବେ ସେମାନେ ଜଣେ ଜଣେ ଛାତ୍ର । ଗୋଟିଏ ହଲରେ ୪ ପୀଢ଼ିର ପରୀକ୍ଷାର୍ଥୀ । ଏଭିଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ ।

ବୟସର ସୂର୍ଯ୍ୟ ଅସ୍ତ ହୋଇଆସୁଛି । ବୟସର ଘଂଟା କଂଟା ଆଗକୁ ବଢିଛି । ହେଲେ ସମୟ ସେମାନଙ୍କୁ ଅଟକାଇ ପାରିନି । ସେଥିପାଇଁ ତ ଜୀବନର ଶେଷ ପାହାଚରେ ପାଲିଟିଛନ୍ତି ଜଣେ ଜଣେ ପରୀକ୍ଷାର୍ଥୀ । ଧନ କି ଜ୍ଞାନର ଅଭାବ ନାହିଁ, କିନ୍ତୁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ୬୦ ରୁ ୭୫ ବୟସର ପରୀକ୍ଷାର୍ଥୀ । ତାହା ପୁଣି ପୁଅ-ଝିଅ, ନାତି-ନାତୁଣି ବୟସର ଛାତ୍ରଛାତ୍ରୀଙ୍କ ସହ ।

ଚାଲିଛି ପରୀକ୍ଷା, ଆଖିକୁ ଠିକ୍ ଭାବରେ ଦେଖା ଯାଉନାହିଁ । ତଥାପି ଶାନ୍ତି ଶୃଙ୍ଖଳାର ସହ ସବୁ ପରୀକ୍ଷାର୍ଥୀ ଲେଖିବାରେ ବ୍ୟସ୍ଥ । ଏ ଚିତ୍ର କିଛି ଏକ ଅଲଗା କାହାଣୀ କହୁଛି । ପରୀକ୍ଷାର୍ଥୀଙ୍କୁ ଦେଖନ୍ତୁ, କାହାର ହାତ ଥରୁଛି, ଆଉ କାହାର କଲମ ଧରିବାର ଅଭ୍ୟାସ ନାହିଁ । ତଥାପି କୌଣସି ଚାକିରି ପାଇଁ ନୁହେଁ ବରଂ ଜୟପୁରରେ ଆୟୋଜିତ ଭାରତୀୟ ସଂସ୍କୃତି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏହି ପ୍ରେରଣାଦାୟୀ ପରୀକ୍ଷାର୍ଥୀ ।

ଭାରତୀୟ ସଂସ୍କୃତି ପ୍ରତିଯୋଗିତାରେ ୪୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଏଥିପାଇଁ କୌଣସି ନିର୍ଦ୍ଧାରିତ ବୟସ ସୀମା ନଥିଲା । ପରୀକ୍ଷା ନିୟନ୍ତ୍ରଣ କରୁଥିଲେ ଜଣେ ୯୨ ବର୍ଷିୟ ଅବସର ପ୍ରାପ୍ତ ଅଫିସର । ଗୋଟିଏ ଛାତ ତଳେ ସମସ୍ତଙ୍କୁ ଏକାଠି କରିବାର ମୂଳ ଉଦ୍ଦେଶ୍ୟ ଥିଲା ସମସ୍ତେ ନିଜ ଛାତ୍ର ଜୀବନକୁ ପୁଣି ଥରେ ମନେ ପକାଇବା ଓ ଭାରତୀୟ ସଂସ୍କୃତି ସଂପର୍କରେ ଜ୍ଞାନ ଆହରଣ କରିବା । ଜୟପୁରରେ ଆୟୋଜିତ ଏହି ପରୀକ୍ଷା ପ୍ରମାଣିତ କରୁଛି ଜ୍ଞାନ ଆହରଣ ପାଇଁ ବୟସର କୌଣସି ପରିସୀମା ନାହିଁ ।