ରେଳମନ୍ତ୍ରୀ ଇସ୍ତଫା ଦେଲେ କଣ ବଦଳିଯିବ କି ବିଭାଗର ଭାଗ୍ୟ ! ଖରାପ ଟ୍ରାକ ସାଜିଛି ଘାତକ !

63

କନକ ବ୍ୟୁରୋ: ଇସ୍ତଫା ଦେଇପାରନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ । ବାରମ୍ବାର ରେଳ ଦୁର୍ଘଟଣା ଘଟିବା ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ସେ ଏନେଇ କଥା ହୋଇଥିବା ବେଳେ ତାଙ୍କୁ ଅପେକ୍ଷା କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟୁଇଟ କରି ଏ ବାବଦରେ ଜଣାଇଥିଲେ ପ୍ରଭୂ । ବାରମ୍ବାର ରେଳ ଦୁର୍ଘଟଣା ଘଟିବା ତାଙ୍କୁ ମର୍ମାହତ କରିଥିବା ଟୁଇଟରେ ଲେଖିଛନ୍ତି ସେ । ମନ୍ତ୍ରୀପଦ ନେବାର ତିନି ବର୍ଷ ଭିତରେ ସେ ରେଳ ବିଭାଗକୁ ସଜାଡିବାକୁ ଅନେକ ପଦକ୍ଷେପ ନେଇଛନ୍ତି । ଭାରତ ଏକ ଦକ୍ଷ ଓ ଆଧୁନିକ ରେଳବାଇ ଚାହୁଁଛି ବୋଲି ଟୁଇଟ କରି କହିଛନ୍ତି ସୁରେଶ ପ୍ରଭୂ ।

ତେବେ ନଜର ପକାନ୍ତୁ ସୁରେଶ ପ୍ରଭୂ ଦାୟିତ୍ୱ ନେବା ପରେ ଘଟିଥିବା କିଛି ବଡ ରେଳ ଦୁର୍ଘଟଣା :

୧୩ ଫେବୃଆରୀ ୨୦୧୫ : ବାଙ୍ଗାଲୋର ଅନେକାଲ ନିକଟରେ ବାଙ୍ଗାଲୋର ସିଟି- ଏର୍ଣ୍ଣାକୁଲମ ଇଣ୍ଟରସିଟି ଏକ୍ସପ୍ରେସର ୯ଟି ବଗି ଲାଇନ ଚ୍ୟୁତ ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଏହି ଦୁର୍ଘଟଣାରେ ଶତାଧିକ ଲୋକେ ଆହତ ହୋଇଥିଲେ ।
୨୦ ମାର୍ଚ୍ଚ ୨୦୧୫ : ଉତ୍ତରପ୍ରଦେଶର ରାୟବରେଲି ଠାରେ ଡେରାଡୁନ- ବାରାଣାସୀ ଜନତା ଏକ୍ସପ୍ରେସ ଲାଇନଚ୍ୟତ ହୋଇ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଥିଲା ।
୨୫ ମଇ ୨୦୧୫ : ଉତ୍ତରପ୍ରଦେଶରେ ମୁରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ୫୦ ଜଣ ଆହତ ହୋଇଥିଲେ ।
୪ ଅଗଷ୍ଟ ୨୦୧୫ : ମଧ୍ୟପ୍ରଦେଶରେ ଜନତା ଏକ୍ସପ୍ରେସ ଓ କମାୟନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୩୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୦୦ ଯାତ୍ରୀ ଆହତ ହୋଇଥିଲେ ।
୨୦ ନଭେମ୍ବର ୨୦୧୬ : ବର୍ଷର ଏହାଥିଲା ସବୁଠୁ ବଡ ରେଳ ଦୁର୍ଘଟଣା । କାନପୁର ଠାରୁ ୬୦ କି.ମି ଦୂର ପୁଖ୍ରାୟନ ଠାରେ ଇନ୍ଦୋର- ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ଟି କୋଚ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୬୦ ଜଣ ଆହତ ହୋଇଥିଲେ ।
୨୧ ଜାନୁଆରୀ ୨୦୧୭ : ଆନ୍ଧ୍ରପ୍ରଦେଶର କୁନେରୁ ଷ୍ଟେସନ ଠାରେ ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଫଳରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୬୮ ଜଣ ଆହତ ହୋଇଥିଲେ ।
୧୯ ଅଗଷ୍ଟ ୨୦୧୭ : ଉତ୍ତରପ୍ରଦେଶର ଖତୌଲି ଠାରେ ହରିଦ୍ୱାର-କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଥିଲେ ।
୨୩ ଅଗଷ୍ଟ ୨୦୧୭ : ପୁଣି ଉତ୍ତରପ୍ରଦେଶର ଔରିୟା ଜିଲ୍ଲାରେ ରେଳ ଦୁର୍ଘଟଣା ଘଙ୍କିଲା । ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ ଡମ୍ଫର ସହ ଧକ୍କା ଦେବା ଫଳରୁ ୫୦ ଯାତ୍ରୀ ଆହତ ହୋଇଥିଲେ ।

ଏହାବାଦ ଉକ୍ତ ତିନି ବର୍ଷ ମଧ୍ୟରେ ଛୋଟବଡ ହୋଇ ଅନେକ ରେଳ ଦୁର୍ଘଟଣା ଘଟିଛି । ଯେଉଁଥିପାଇଁ ଅପଦସ୍ତ ହୋଇଥିଲା ରେଳ ବିଭାଗ । ବିଭାଗୀୟ ମନ୍ତ୍ରୀ ଭାବେ ଉତ୍ତରଦାୟିତ୍ୱ ନେଇ ପଦ ଛାଡିବାକୁ ବିରୋଧୀ ମଧ୍ୟ ଅନେକ ଥର ଦାବୀ କରିଥିଲେ । ତେବେ ବାରମ୍ବାର ରେଳ ଦୁର୍ଘଟଣା ଘଟିବା ଯୋଗୁଁ ମର୍ମାହତ ପ୍ରଭୂ ଶେଷରେ ଇସ୍ତଫା ଦେବାକୁ କହିଛନ୍ତି ।

ସୁରେଶ ପ୍ରଭାକର ପ୍ରଭୂ, ୧୯୯୬ ମସିହାରୁ ଲଗାତର ଭାବେ ମହାରାଷ୍ଟ୍ର ରାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ଶିବସେନା ବ୍ୟାନରରେ ନିର୍ବାଚନ ଲଢ଼ୁଥିବା ସୁରେଶ ପ୍ରଭୂ ୨୦୧୪ ନଭେମ୍ବରରେ ଶିବସେନାକୁ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏବେ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ସାଂସଦ ରହିଛନ୍ତି ।

ବାଣିଜ୍ୟରେ ସ୍ନାତକ ଶେଷ କରିବା ପରେ ପ୍ରଭୂ ଆଇନ ମଧ୍ୟ ପଢ଼ିଥିଲେ । ପରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ରାଜନୀତିକୁ ଆସିବା ପରେ ପ୍ରଭୂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି । ୧୯୯୮ରୁ ୨୦୦୪ ମଧ୍ୟରେ ସେ କେନ୍ଦ୍ରରେ ଶିଳ୍ପ, ଜଙ୍ଗଲ ଓ ପରିବେଶ, ସାର ଓ ରସାୟନ, ସାଧାରଣ ଉଦ୍ୟୋଗ ଭଳି ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତିି । ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିବାରେ ସୁରେଶ ପ୍ରଭୂ ବେଶ ଜଣାଶୁଣା । ତାଙ୍କ କାର୍ଯ୍ୟକାଳ ସମୟରେ ବିଦ୍ୟୁତ ବିଭାଗରେ ସୁଧାର ଆସିଥିଲା ।

ଏବେ ପ୍ରଶ୍ନ ଉଠୁଛି ରେଳମନ୍ତ୍ରୀ ଇସ୍ତଫା ଦେଲେ କଣ କମିଯିବ କି ରେଳ ଦୁର୍ଘଟଣା? ବଦଳିଯିବ କି ବିଭାଗର ଭାଗ୍ୟ ? ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ସର୍ବବୃହତ ରେଳପଥ । ପାଖାପାଖି ୧୩ ହଜାର ଟ୍ରେନ ଯୋଗେ ଦୈନିକ ୨କୋଟିରୁ ଅଧିକ ଲୋକେ ରେଳପଥରେ ଯାତାୟତ କରନ୍ତି । ସାରାଦେଶରେ ବ୍ୟାପିଛି ୧ଲକ୍ଷ ୧୯ ହଜାର ୬୪୦ କିଲୋମିଟର ରେଳପଥ ।

ହେଲେ ଏହି ଟ୍ରାକରେ ଏବେ ଦୌଡୁଛି ମୃତ୍ୟୁ । କାରଣ ଭାରତୀୟ ରେଳପଥରେ ମୋଟ ୧ଲକ୍ଷ ୨୭ ହଜାର ୧୫୪ ଟି ବ୍ରିଜ ରହିଛି । ଏହାର ଏକ ତୃତୀୟାଂଶ ବ୍ରିଜ ଅର୍ଥାତ ୫୬ହଜାର ୧୭୮ ବ୍ରିଜ, ୮୦ ବର୍ଷରୁ ବି ଅଧିକ ପୁରୁଣା । ଯାହା ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ତିଆରି ହୋଇଥିଲା । ରେଳପଥର ସୁରକ୍ଷା ନେଇ ଖାନ୍ନା କମିଟି ୧୯୯୮ରେ ୨୭୮ ଟି ପ୍ରସ୍ତାବ ସୁପାରିଶ କରିଥିଲେ । ଯେଉଁଥିରୁ ୨୩୬ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି ହେଲେ ଏଗୁଡିକ ସଂପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇନି ।

ତଥ୍ୟ କହୁଛି, ୨୦୦୩ରୁ ୨୦୧୬ ମଧ୍ୟରେ ୧୨୩୨ଟି ଟ୍ରେନ ଦୁର୍ଘଟଣାରେ ୧୩୯୩ ଜଣ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଗତ ଦୁଇବର୍ଷରେ ୧୬୫ଟି ଦୁର୍ଘଟଣା ଘଟିଛି ଓ ୧୫୫ ଜଣଙ୍କ ଜୀବନ ଯାଇଛି ।

୨୦୧୨ରେ ସାମ ପିଟ୍ରୋଡା କମିଟିର ସୁପାରିଶ ଅନୁସାରେ ୧୯ ହଜାର କିଲୋମିଟର ରେଳପଥର ଆଧୁନୀକିକରଣ ଆବଶ୍ୟକ । ଏପରିକି ୧୧ ହଜାର ୨୫୦ ବ୍ରିଜର ପୁନଃ ନିର୍ମାଣ ନହେଲେ ଦୃତଗତିରେ ଟ୍ରେନ ଗଲେ ଏଗୁଡିକ ଭୁଷୁଡି ପଡିବାର ସମ୍ଭାବନା ମଧ୍ୟ ରହିଛି ।

ରେଳ ସୁରକ୍ଷା ପାଇଁ ୨୦ ହଜାର କୋଟିରୁ ୨୫ ହଜାର କୋଟି ବ୍ୟୟ ବରାଦ ଆବଶ୍ୟକ ବୋଲି ଷ୍ଟାଡିଂ କମିଟିର ରିପୋର୍ଟ କହୁଛି । ସେହିପରି ୧ଲକ୍ଷ ୧୪ ହଜାର କି.ମି ଟ୍ରାକ ମଧ୍ୟରୁ ପ୍ରତିବର୍ଷ ୪ହଜାର ୫ଶହ କି.ମି ଟ୍ରାକ ମରାମତି ହେବା ଜରୁରୀ । କିନ୍ତୁ ମରାମତି ହେଉଛି ମାତ୍ର ୨ହଜାର ୭ଶହ କି.ମି । ଏନେଇ ଷ୍ଟାଡିଂ କମିଟି ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଟ୍ରାକରେ ମରାମତି ଅବହେଳା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବା ବେଳେ ରେଳ ସୁରକ୍ଷା ପାଇଁ ପୁରା ଢ଼ାଂଚାଗତ ପରିବର୍ତ୍ତନ ଲୋଡା ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସେହିପରି ୩୩୯ଟି ଗୁରୁତ୍ୱପୂର୍ଣ୍ଣ ବ୍ରିଜ ୧୯୨୦ ପୂର୍ବର ବୋଲି ସିଏଜି ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ୪ହଜାର ୨୧୦ଟି ବଡ ବ୍ରିଜ ବହୁତ ପୁରୁଣା । ୫୧ ହଜାର ୬୨୯ଟି ଛୋଟ ବ୍ରିଜ ୧୯୨୦ ପୂର୍ବର ବୋଲି ମଧ୍ୟ ସିଏଜି ରିପୋର୍ଟରେ କୁହାଯାଇଛି । ଖାନ୍ନା କମିଟି ରିପୋର୍ଟ ମୂତାବକ ୭୬ ପ୍ରତିଶତ ରେଳ ଦୁର୍ଘଟଣା ଲାଇନଚ୍ୟୁତ ହେବା ଯୋଗୁ ଘଟିଥାଏ ।

୩ହଜାର ବ୍ରିଜ ଶହେ ବର୍ଷ ପୁରୁଣା ବୋଲି କକୋଦରା କମିଟି କହିଥିବା ବେଳେ ୩୨ଟି ବ୍ରିଜ ଭୂଲ ଶୈଳୀରେ ନିର୍ମାଣ କରାଯାଇଥିବା ଉକ୍ତ କମିଟି ରିପୋର୍ଟରେ କୁହାଯାଇଛି । ସେହିପରି ବହୁ ବ୍ରିଜ ଉପରେ ବର୍ଷା ସମୟରେ ପାଣି ପ୍ରବାହିତ ହେଉଛି ବୋଲି କକୋଦରା କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ।

ତେବେ ପ୍ରଭୂଙ୍କ ଇସ୍ତଫା ପ୍ରସଙ୍ଗରେ ଯଦିଓ ପ୍ରଧାନମନ୍ତ୍ରୀ ଚୁଡାନ୍ତ ନିଷ୍ପତି ନେବେ ତଥାପି ରେଲୱେ ବୋର୍ଡ ଚେୟାରମ୍ୟାନ ଏ.କେ ମିତ୍ତଲ ଇସ୍ତଫା ଦେଇଥିବାରୁ ସୁରେଶଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନପାରେ । ଏ ସଂପର୍କରେ ମୋଦି କିଛି ବରିଷ୍ଠ ମନ୍ତ୍ରୀ ଓ ନେତାଙ୍କର ମତାମତ ନେଇପାରନ୍ତି । ଯଦି ପ୍ରଭୂଙ୍କ ଇସ୍ତଫା ଗ୍ରହଣ ହୁଏ ତେବେ କିଏ ପରବର୍ତ୍ତୀ ରେଳ ମନ୍ତ୍ରୀ ହେବେ ସେନେଇ ମଧ୍ୟ ଆଶା ଆଶଙ୍କା ଲାଗି ରହିଛି ।