ଖୁବଶୀଘ୍ର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିବ ଭାରତୀୟ ରେଳ । କେବଳ ଭୂମି ଉପରେ କିମ୍ବା ତଳେ ନୁହେଁ ବରଂ ପାଣି ମଧ୍ୟରେ ଚାଲିବ ମେଟ୍ରୋ । ଏହା ସ୍ୱପ୍ନ ଭଳି ଲାଗୁଥିଲେ ମଧ୍ୟ ସତ । ଭାରତର ପ୍ରଥମ ମେଟ୍ରୋ ସହର କୋଲକାତାରେ ପାଣି ଭିତରେ ଚାଲିବ ମେଟ୍ରୋ । ହୁଗଳି ନଦୀ ତଳେ ଏହି ମେଟ୍ରୋ ଗଡିବ । ଆଉ ଏଥିପାଇଁ ଭାରତୀୟ ରେଳ ବିଭାଗ ସମସ୍ତ ପ୍ରସ୍ତୁତି ଏକରକମ ଶେଷ କରିସାରିଛି । ଏହି ମେଟ୍ରୋ ଚଳାଚଳ ପାଇଁ ସୁଡଙ୍ଗ ନିର୍ମାଣ ହେବ । ୫୨୦ ମିଟର ଲମ୍ବ ଓ ୩୦ ଫୁଟ ଗଭୀରର ସୁଡଙ୍ଗ ମଧ୍ୟରେ ଦ୍ରୁତ ଗତିରେ ମାଡି ଚାଲିବ ମେଟ୍ରୋ । ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
भारत की पहली अंडर वॉटर ट्रेन शीघ्र ही कोलकाता में हुगली नदी के नीचे चलना आरंभ होगी। उत्कृष्ट इंजीनियरिंग का उदाहरण यह ट्रेन देश में निरंतर हो रही रेलवे की प्रगति का प्रतीक है।
इसके बनने से कोलकाता निवासियों को सुविधा, और देश को गर्व का अनुभव होगा। pic.twitter.com/MDzj42s5XZ
— Piyush Goyal (@PiyushGoyal) August 8, 2019
ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ କୋଲକାତାର ସେକ୍ଟର ୫ରୁ ହାୱାଡା ମଧ୍ୟରେ ପ୍ରାୟ ୧୬ କିଲୋମିଟର ଯାଏଁ ଚଳାଚଳ କରିବ । ମେଟ୍ରୋ ଟ୍ରେନର ସୁରକ୍ଷା ପାଇଁ ସୁଡଙ୍ଗ ମଧ୍ୟରେ ୪ ଥାକିଆ ହାଇଟେକ ସୁରକ୍ଷା ବ୍ୟବସ୍ଥା ରହିଛି । ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ପ୍ରୋଜେକ୍ଟର ଭିଡ଼ିଓ ସେୟାର କରିବା ସହ ଖୁବଶୀଘ୍ର କୋଲକାତାବାସୀଙ୍କ ଏହି ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏହି ସୁଡଙ୍ଗ ପାର୍ କରିବାକୁ ମେଟ୍ରୋ ଟ୍ରେନକୁ ମାତ୍ର ଏକ ମିନିଟ ସମୟ ଲାଗିବ । ଏହି ମେଟ୍ରୋ ଚଳାଚଳ କରିବା ସହ ଭାରତ ନୂଆ କୀର୍ତ୍ତିମାନ ରଚିବ । କାରଣ ଏହା ପୂର୍ବରୁ ଭୂମି ତଳେ ମେଟ୍ରୋ ଚଳାଚଳ କରିଥିଲେ ନଦୀ ମଧ୍ୟ ଦେଇ କୌଣସି ମେଟ୍ରୋ ରୁଟ୍ ଦେଖିବାକୁ ମିଳିନଥିଲା । ତେଣୁ ଏହି ମେଟ୍ରୋ ଟ୍ରେନ୍ ଭାରତର ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳର ମୂକସାକ୍ଷୀ ପାଲଟିବାକୁ ଯାଉଛି ।