ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ । ଚମକାଇ ଦେଲା ଜାତିସଂଘ ରିପୋର୍ଟ ।

ଆଜି ବି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବିଶ୍ୱର ୮୨ କୋଟିରୁ ଉଦ୍ଧ୍ୱର୍ ଲୋକ । ଜାତିସଂଘ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୧୫ ବର୍ଷରୁ ବିଶ୍ୱରେ ଖାଦ୍ୟ ଅଭାବ ବଢ଼ିବାରେ ଲାଗିଛି ।

389

କନକ ବ୍ୟୁରୋ: ଦିନକୁ ଦିନ ବଦଳୁଛି ବିଶ୍ୱ ଆଉ ବଢୁଛି ସଙ୍କଟ । ସମଗ୍ର ବିଶ୍ୱକୁ ଚମକାଇଦେଲା ଜାତିସଂଘ ରିପୋର୍ଟ । ଆଜି ବି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ବିଶ୍ୱର ୮୨ କୋଟିରୁ ଉଦ୍ଧ୍ୱର୍ ଲୋକ । ଜାତିସଂଘ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୧୫ ବର୍ଷରୁ ବିଶ୍ୱରେ ଖାଦ୍ୟ ଅଭାବ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ବିଶ୍ୱର ୮୨ କୋଟିରୁ ଉଦ୍ଧ୍ୱର୍ ଲୋକ, କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୃଷ୍ଟିର ଶିକାର ହୋଇଛନ୍ତି ।

ଜାତିସଂଘର (ଏଚ୍-ଏଲ-ପି-ଏଫ୍) ବା ହାଇ ଲେଭଲ ପଲିଟାକାଲ ଫୋରମ ଦ୍ୱାରା ପ୍ରକାଶିତ ହୋଇଥିବା ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସବୁଠାରୁ ଅଧିକ ତଥା ୨୦ ପ୍ରତିଶତ ଲୋକ ଆଫ୍ରିକାରେ ଅପପୃଷ୍ଟିର ଶିକାର ହେଉଛନ୍ତି । ସେହିଭଳି ଏସିଆରେ ୧୨ ପ୍ରତିଶତ ଏବଂ ଲାଟିନ୍ ଆମେରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭ ପ୍ରତିଶତ ଲୋକ ଭୋକିଲା ରହୁଛନ୍ତି । ଏପରିକି ବିଶ୍ୱର କିଛି ଅଞ୍ଚଳର ଏମିତି ଲୋକ ଅଛନ୍ତି ଯେଉଁଠାରେ ଖାଦ୍ୟ ସଂକଟରେ ସମ୍ମୁଖୀନ ହେଉଛନ୍ତି ।

ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ବିଶ୍ୱରେ ୨୦୦ କୋଟିରୁ ଉଦ୍ଧ୍ୱର୍ ଲୋକେ ଖାଦ୍ୟ ଅଭାବର ଶିକାର ହେଉଛନ୍ତି । ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି କି, ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ ଆଗାମୀ ୨୦୩୦ ସୁଦ୍ଧା ଅନେକ ଶିଶୁ ଅପପୃଷ୍ଟିର ଶିକାର ହେବେ ଏବଂ ଯେଉଁ ସ୍ଲୋଗାନ ଦିଆଯାଉଛି ‘କେହି ଜଣେ ଭୋକିଲା ରହିବେ ନାହିଁ’ ତାହା କେବେହେଲେ ପୂରଣ ହୋଇପାରିବ ନାହିଁ ।

ବର୍ତ୍ତମାନ ବିଶ୍ୱରେ ପାଖାପାଖି ୪ କୋଟି ୯୦ ଲକ୍ଷ ଶିଶୁର ଅଭିବୃଦ୍ଧି ଖାଦ୍ୟ ଅଭାବରୁ ବାଧା ପାଉଛି । ଏପରିକି ପୃଥ୍ୱିବୀର ଅନେକ ସ୍ଥାନରେ ମେଦ ବହୁଳତା ତଥା ଅଧିକ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସ୍କୁଲ ଯିବା ବୟସର ପିଲା ଏବଂ ବୟସ୍କ ବ୍ୟକ୍ତି ଅଧିକ ସଂଖ୍ୟାରେ ଏହାର ଶିକାର ହେଉଥିବା ଜାତିସଂଘର ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଅଗାମୀ ଦିନରେ ବିଶ୍ୱ ଭୋଗିବାକୁ ଯାଉଥିବା ଏହି ବଡ଼ ସଂକଟରୁ ମୁକ୍ତି ପାଇବାକୁ ହେଲେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ଜାତିସଂଘ । ଆଉ ୨୦୩୦ ବେଳକୁ ‘କେହି ଜଣେ ଭୋକିଲା ରହିବେ ନାହିଁ ‘ ଏବେ ବିଶ୍ୱବାସୀଙ୍କ ପାଇଁ ଆହ୍ୱାନକାରୀ ପାଲଟିଥିବା ରିପୋର୍ଟ କହୁଛି ।