ଜାମ୍ମୁ-କାଶ୍ମୀର ଏନକାଉଂଟରରେ ୨ ଆତଙ୍କବାଦୀ ନିହତ : ଅନନ୍ତନାଗରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ,  ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ 

79

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କ ଅପରେସନ ଅଲଆଉଟ୍ ଜାରି ଅଛି । ଦକ୍ଷିଣ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ଗୁରୁବାର ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଆତଙ୍କବାଦୀ ନିହତ । ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସେନା ଅଧିକାରୀ କହିଛନ୍ତି କି, ସେନାର ୩ ଆରଆର ଓ ଏସଓଜିର ସଂଯୁକ୍ତ ଟିମ୍ ଗୁରୁବାର ସକାଳେ ଟାଉନର ବଙ୍ଗନ୍ଦରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଯେତେବେଳେ ସୁରକ୍ଷାବଳଙ୍କ ସଂଯୁକ୍ତ ଟିମ୍ ସନ୍ଦେହଜନକ ଜାଗାରେ ତଲାସି ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ଆତଙ୍କବାଦୀମାନେ ଅନବରତ ଗୁଳି ଚାଳନା ଆରମ୍ଭ କରିଥିଲେ । ଉଭୟ ପଟରୁ ଗୁଳି ଚାଳନା ହୋଇଥିଲା । ଏହା ମଧ୍ୟରେ ଦୁଇ ଆତଙ୍କବାଦୀଙ୍କୁ ମାରିଛନ୍ତି ସୁରକ୍ଷାବଳ । ଆତଙ୍କବାଦୀଙ୍କ ଶବ ପାଖରୁ ଗୋଳା ବାରୁଦ ଜବତ ହୋଇଛି । ଏବେ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନି । କିନ୍ତୁ ଉଭୟେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ସୂତ୍ରରୁ ଜଣାପଡିଛି । ଏହା ପୂର୍ବରୁ ୨୦ ଏପ୍ରିଲରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ । ସେଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।