ପରଦାରେ ମୁଁ ଖାଣ୍ଟି ଓଡିଆ ଝିଅ କୁ ଟକ୍କର ଦେବ ଭୈରବ! ଉଭୟ ସିନେମାରେ ହସାଇବେ ପପୁ ପମ୍ ପମ୍

255

କନକ ବ୍ୟୁରୋ : ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଦୁଇଟି ଓଡିଆ ସିନେମା ସହ ଦୁଇଟି ହିନ୍ଦୀ ସିନେମା । ଏହାସହ ଗୋଟିଏ ହଲିଉଡ ଓ ଦୁଇଟି ତେଲୁଗୁ ସିନେମା ବି ଆସୁଛି ପରଦାକୁ । ତେବେ ଓଲିଉଡରେ ରିଲିଜ ହେଉଥିବା ଦୁଇଟି ଯାକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ପପୁଙ୍କୁ ଦେଖିବାକୁ ମିଳିବ । ଉଭୟ ସିନେମାରେ ପ୍ରେମ, ପାରିବାରିକ ଓ ଆକ୍ସନର ଭରପୁର ମଜା ଉଠାଇବେ ଦର୍ଶକ ।

ପରଦାକୁ ଆସୁଛି ଅବତାର ଫିଲ୍ମସ ବ୍ୟାନରରେ ନିର୍ମିତ ‘ ମୁଁ ଖାଣ୍ଟି ଓଡିଆ ଝିଅ’ ଏବଂ ଆଞ୍ଜନେୟ ମିଡିଆର ‘ ଭୈରବ’ । ମୁଁ ଖାଣ୍ଟି ଓଡିଆ ଝିଅ ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ଓଡିଆ ଟାଇଟଲ ସହ ପରଦାକୁ ଆସିଥିବା ବେଳେ ମୌଳିକ କାହାଣୀ ଉପରେ ପର୍ଯ୍ୟବେସିତ । ଅବତାର ସିଂ ଭୁରଜୀ ଏହାର ପ୍ରଯୋଜନା ସାଙ୍ଗକୁ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଅବତାରଙ୍କ ଭାଇ ରାଜେନ୍ଦର ସିଂ ଭୁରଜୀ ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ।

କାହାଣୀରେ ଜଣେ ଗରୀବ ସ୍କୁଲ ଶିକ୍ଷକଙ୍କ ଝିଅର ଜୀବନ କଥା କୁହାଯାଇଛି । ଝିଅଟି କିପାରି ଜୀବନର ପ୍ରତି ପାହାଚରେ ବାଧା ବିଘ୍ନ ଓ ସମସ୍ୟାର ସାମ୍ନା କରୁଛି, ତାହାକୁ ବେଶ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ସିନେମାରେ । ମୁଖ୍ୟ ଚରିତ୍ରରେ ରଣବୀର, ସିଦ୍ଧାନ୍ତ, ଏଲିନା, ମନୋଜ ପଟ୍ଟନାୟକ, ନାରାୟଣ ପତି, ଅସିତ ପତି ଅଭିନୟ କରିଛନ୍ତି । ତେବେ ପପୁ ପମ୍ ପମ୍ ଓ ଦେବୁ ବ୍ରହ୍ମା ସିନେମାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିବେ ।

ସଂଳାପ ଲେଖିଛନ୍ତି ସତ୍ୟ ନାରାୟଣ ସାହୁ । ଫିଲ୍ମରେ ଟାଇଟଲ ଗୀତକୁ ମିଶାଇ ମୋଟ ୫ଟି ଗୀତ ରହିଛି । ଡ. ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ଉର୍ମିଳା ମହାନ୍ତି ଓ ଶୁସାନ୍ତ ସାହୁ ପ୍ରମୁଖ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ, ମାନସ କୁମାର ଓ ଗୋପାଳ ବିଶ୍ୱାଳ ଏହାକୁ ସଙ୍ଗୀତରେ ସଜାଇଛନ୍ତି । ହ୍ୟୁମାନ ସାଗର, ତାରିକ ଅଜିଜ୍, ଅସୀମା ପଣ୍ଡା, ତପୁ ମିଶ୍ର, ପପୁ, ଶୈଳଭାମା, ସଞ୍ଜୁ ଓ ଶ୍ରୀଚରଣଙ୍କ କଣ୍ଠରେ ଦର୍ଶକେ ଝୁମିବେ ବୋଲି କୁହାଯାଉଛି । ତେବେ ଓଡିଆ କାହାଣୀ ସହ ଭିନ୍ନ ସ୍ୱାଦର ଗୀତ ଦର୍ଶକଙ୍କୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଅନ୍ୟପଟେ ମୁଁ ଖାଣ୍ଟି ଓଡିଆ ଝିଅକୁ ଟକ୍କର ଦେବାକୁ ରିଲିଜ ହେଉଛି ଆଞ୍ଜନେୟ ମିଡିଆର ତୃତୀୟ ଅବଦାନ ‘ ଭୈରବ’ । ଏଥିରେ ମୁଖ୍ୟ ଭୁମିକାରେ ନବାଗତ ଅସୀତ୍, ଆହନା, ଏଲସା, ପିଣ୍ଟୁ ନନ୍ଦ, ସମରେଶ, ଶକ୍ତି ବରାଳ, ବିଜୁ ବଡଜେନା ପ୍ରମୁଖ ନଜର ଆସିବେ । ସେହିଭଳି ଏଥିରେ ମଧ୍ୟ ପପୁ ପମ୍ ପମ୍ , ଦେବୁ ବ୍ରହ୍ମା, ହାଡୁ, ଟନିଆ, ଦେବୀ ବାରିକ, ରାଜୀବ ପ୍ରମୁଖ ହାସ୍ୟ ଅଭିନେତାଙ୍କ କମେଡି ଦେଖିବାକୁ ମିଳିବ ।

ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ ଏହାର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଦେବୀଦତ୍ତ ମହାନ୍ତିି ଓ ଡ. ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ସିନେମାରେ ନାୟକକୁ ଏକ ଭିନ୍ନ ଢ଼ଙ୍ଗରେ ଅବତାରଣା କରାଯାଇଛି ଯାହା ଦର୍ଶକ ଦେଖିଲେ ଜାଣିପାରିବେ ବୋଲି କୁହାଯାଇଛି ।

ଓଡିଆ ସିନେମା ସହ ବଲିଉଡର ‘ଡାଡି’ ଓ ‘ପୋଷ୍ଟର ବୟଜ୍’ ମଧ୍ୟ ଆଜି ରିଲିଜ ହେଉଛି । ଅସୀମ ଆଲୁଆଲିଆ ନିର୍ଦ୍ଦେଶିତ ଓ ଅର୍ଜୁନ ରାମପାଲ୍ ପ୍ରଯୋଜିତ ଡାଡି ଏକ ପଲିଟିକାଲ କ୍ରାଇମ ଡ୍ରାମା ମୁଭି । ଏଥିରେ ଅର୍ଜୁନ ରାମପାଲଙ୍କ ସହ ସାଉଥ ହିରୋଇନ ଐଶ୍ୱର୍ଯ୍ୟା ରାଜେଶ ନଜର ଆସିବେ ।

ସେହିପରି ୨୦୧୪ରେ ମୁକ୍ତିଲାଭ କରିଥିବା ପୋଷ୍ଟର ବୟଜର ରିମେକ କରିଛନ୍ତି ଶ୍ରେୟସ ତଲପଡେ । ସେ ଏହାର ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟ ବି କରିଛନ୍ତି । ଏଥିରେ ଦୁଇଭାଇ ସନ୍ନି ଦେଓଲ ଓ ବବି ଦେଓଲ ନଜର ଆସିବେ । ଏହାସହ ହଲିଉଡ ମୁଭି ‘ଆଇଟି’ ଏବଂ ତେଲୁଗୁ ମୁଭି ‘ଯୁଦ୍ଧମ ଶରଣମ୍’ ଓ ‘ଅର୍ଜୁନ ରେଡ୍ଡି’ ମଧ୍ୟ ପରଦାକୁ ଆସିବ ।