ସାହସ ଦେଖାଇ ଜୀବନ ବଞ୍ଚାଇଥିଲେ, ମୁଖ୍ୟମନ୍ତ୍ରୀ ସମ୍ମାନିତ କଲେ । ଯାଜପୁର ସାହସୀ ଛାତ୍ରଙ୍କୁ ନେଇ ସବୁଠି ଚର୍ଚ୍ଚା

608

କନକ ବ୍ୟୁରୋ: ସାହସ ଦେଖାଇଲେ ସମ୍ମାନିତ ହେଲେ । ପୋଖରୀରେ ବୁଡିଯାଉଥିବା ଶିଶୁକୁ ଉଦ୍ଧାର କରି ପୁରସ୍କାର ପାଇଲେ ଯାଜପୁରର ୨ ଛାତ୍ର । ଅଷ୍ଟମ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାବାସୀ ଦେବା ସହ ସମ୍ମାନିତ କରିଛନ୍ତି ।

କମ ବୟସରେ ଏତେ ବଡ ସାହସ ଦେଖାଇ, ନିଜ ଜୀବନକୁ ବାଜି ଲଗାଇ ପାଣି ମଝିରୁ ଏ କୁନି ପିଲାର ଜୀବନ ବଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବାଃ ବାଃ ଜଣାଇଛନ୍ତି । ଆଉ ପୁରସ୍କାର ସ୍ୱରୁପ ବ୍ୟାଗ, ବହି, ଚକଲେଟ ଦେବା ସହ ପିଠି ଥାପୁଡେଇ ୱେଲ ଡନ ମଧ୍ୟ କହିଛନ୍ତି ।

ତେବେ ଗଣେଶ ପୂଜା ଦିନ ଦୁଇ ସାଙ୍ଗ ସ୍କୁଲରୁ ଫେରିବା ବେଳେ ପୋଖରୀ ଭିତରୁ କାହାର ଚିକ୍ରାର ଶୁଣିଥିଲେ । ମା…ମା ଡାକ ଛାଡି କୁନି ପିଲାଟେ ପୋଖରୀରେ ବୁଡି ବୁଡି ଯାଉଥିବାର ଦୁହେଁ ଦେଖିଥିଲେ । ଆଉ ପିଲାଟି ବୁଡି ଯାଉଥିବା ଦେଖି ଦୁଇସାଙ୍ଗ ଆଗପଛ ବିଚାର ନକରି ପୋଖରୀ ଭିତରକୁ ଡେଇଁ ପଡିଥିଲେ । ଆଉ କୁନି ପିଲାକୁ ଉଦ୍ଧାର କରି, ତା ପେଟ ଚିପି ପାଣି ବାହାର କରି ତା ଜୀବନ ବଞ୍ଚାଇଥିଲେ । ତେବେ ସେଦିନ କେମିତି ଥିଲା ଘଟଣାକ୍ରମ, ନିଜ ମୁହଁରେ ଉଦ୍ଧାର ବେଳର ପୂରା କାହାଣୀ କହିଛନ୍ତି ୨ ସାହସୀ ବାଳକ…

ଯାଜପୁର ଜିଲ୍ଲା କୋରେଇ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ତୋଷିବ ରାଜା ଓ ମହମ୍ମଦ ସୋଏବ ଅଖତାରଙ୍କ ଏଭଳି ସାହସକୁ ସମସ୍ତେ ପ୍ରଶଂସା କରିଛନ୍ତି । ତାସହ ସାରା ଜିଲ୍ଲାରେ ଏବେ ତାଙ୍କରି ଚର୍ଚ୍ଚା ହେଉଛି । ଆଉ ଆଜି ଦୁଇ ସାହସୀ ବାଳକଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ସମ୍ମାନିତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହେବା ପରେ ଖୁସି ଜାହିର କରିଛନ୍ତି ଦୁଇ ଛାତ୍ର ।