ଏମିତି ବି ହୁଏ ଅଘଟଣ ? ମୋବାଇଲ ନୁହେଁ ବିସ୍ଫୋରଣ ହେଲା ଟିଭି, ମା’ଛେଉଣ୍ଡ ହୋଇଗଲା ୮ ମାସର କୁନି ଶିଶୁ । 

711

କନକ ବ୍ୟୁରୋ : ଟିଭି ଦେଖିବା  ଘାତକ ହୋଇପାରେ, ଜୀବନ ବି ନେଇ ପାରେ ଏକଥା ଶୁଣିଲା ବେଳକୁ ବିଶ୍ୱାସ ହେଉନି । ହେଲେ ସୁନ୍ଦରଗଡ଼ରେ ଘଟିଛି ଏଭଳି ଏକ ଅଘଟଣ ।ଟିଭି ଦେଖିଲାବେଳେ ହଠାତ ହୋଇଥିଲା ବିସ୍ଫୋରଣ । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଚାହୁଁଚାହୁଁ ଘରେ ନିଆଁ ଲାଗିଗଲା । ଏଥିରେ ଉଜୁଡ଼ି ଗଲା ଗୋଟିଏ ପରିବାର । ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି ।

ଶିବରାତ୍ରୀରେ ଠାକୁର ଦର୍ଶନ ସାରି ପରିବାର ସହ ଟିଭି ଖୋଲି ଧାରାବାହିକ ଦେଖୁଥିଲେ ଡିଲେଶ୍ୱର ନାୟକ । ସାଥୀରେ ପତ୍ନୀ ବବି ନାୟକ ଏବଂ ୮ ମାସର କୁନି ଝିଅ । ଠିକ୍ ଏମିତି ବେଳେ ହାଠାତ୍ ଏକ ବିସ୍ଫୋରଣ ହୋଇଥିଲା । ଅଳ୍ପ ଦୂରରେ ଥିବା ପୁରୁଣା ମଡେଲର ଟିଭି ବିସ୍ଫୋରଣ ହୋଇ, ଖଟରେ ଥିବା ମା ଓ ଝିଅଙ୍କ ଉପରେ ନିଆଁହୁଳା ବିଛାଡି ହୋଇପଡ଼ିଥିଲା । ସବୁ କିଛି ପୋଡ଼ି ଛାରଖାର୍ ହୋଇଯାଇଥିଲା । ଆଉ ଏହି ଘଟଣା ୮ ମାସର ଶିଶୁକୁ ମା’ ଛେଉଣ୍ଡ କରିଦେଇଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ନିଆଁ ଛିଟିକି ଆସି ବବିଙ୍କ ଦେହରେ ଲାଗିଥିଲା । ବାପା ଡିଲେଶ୍ୱର ଝିଅକୁ ବବିଙ୍କ କୋଳରୁ ଉଠାଇ ନେଇ ଦୂରକୁ ଫିଙ୍ଗି ଦେଇଥିଲେ । ହେଲେ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କଲାବେଳକୁ ପତ୍ନୀ ସଂପୂର୍ଣ୍ଣ ଜଳି ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଡିଲେଶ୍ୱରଙ୍କ ଚିକ୍ରାର ଶୁଣି ପଡୋଶୀମାନେ ଧାଇଁ ଆସିଥିଲେ ବି ଘର ଭିତରପଟୁ ବନ୍ଦ ରହିଥିଲା । ଡିଲେଶ୍ୱର କବାଟ ଖୋଲିଲା ବେଳକୁ ସେ ଓ ଝିଅ ଗୁରୁତର ହୋଇ ସାରିଥିଲେ ।

ସୁନ୍ଦରଗଡ଼ ଲହଣ୍ଡାବୁଡ଼ ଗାଁର ଏହି ଘଟଣା ଏବେ ସାରା ଅଂଚଳକୁ ସ୍ତବ୍ଧ କରିଦେଇଛି । କାରଣ, ଟିଭି ବିସ୍ଫୋରଣ ବି ଏତେ ବଡ଼ ଅଘଟଣ ଘଟାଇପାରେ, ତାହା ସମସ୍ତଙ୍କୁ ବିବ୍ରତ କରିଦେଇଛି ।