ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ । ୫ ଦିନ ପୂର୍ବେ ପଦ୍ମ ଛାଡିଥିଲେ, ଏବେ ବିଜେଡି ଦେଲା ଟିକେଟ ।

806

କନକ ବ୍ୟୁରୋ : ପଦ୍ମ ଛାଡିଥିଲେ, ପୁରସ୍କାର ପାଇଲେ । ଗତ ୫ ଦିନ ପୂର୍ବେ ବିଜେପି ଟିକେଟ ପାଇ ଦଳ ଛାଡିଥବା ତୁଷାରକାନ୍ତି ବେହେରା ବିଜେଡିରେ ଯୋଗ ଦେଇଥିଲେ । ଆଉ ଆଜି କାକଟପୁର ଆସନ ପାଇଁ ବିଜେଡି ଟିକେଟ ହାତେଇଛନ୍ତି ତୁଷାର । ପୂର୍ବରୁ ଏହି ଆସନରେ ବିଧାୟକ ଥିବା ସୁରେନ୍ଦ୍ରଙ୍କୁ ଟିକେଟ ଦେଇଥିଲା ଦଳ । ତେବେ ତୁଷାର ମିଶିବା ପରେ ଦଳ ସୁରେନ୍ଦ୍ରଙ୍କ ବଦଳରେ ତାଙ୍କୁ ମୈଦାନକୁ ଓହ୍ଲାଇଛି । ଆସନ୍ତାକାଲି ତୁଷାର ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

ପୂର୍ବରୁ ସୁରେନ୍ଦ୍ରଙ୍କୁ କାକଟପୁର ଆସନ ପାଇଁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ସୁରେନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିବାର ପୂର୍ବଦିନ ହିଁ ଦଳ ପକ୍ଷରୁ ତାଙ୍କୁ ନାମାଙ୍କନ ଦାଖଲ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ସୁରେନ୍ଦ୍ରଙ୍କ ସମର୍ଥକ ଅସନ୍ତୋଷ ମଧ୍ୟ ଜାହିର କରିଥିଲେ । କିନ୍ତୁ ସର୍ବଶେଷରେ ଆଜି ତୁଷାରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତା ୨୯ ତାରିଖରେ କାକଟପୁର ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ୯ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ।