ଟ୍ରମ୍ପଙ୍କୁ ଭେଟିବେ କିମ୍ ଜୋଙ୍ଗ ! ଆସନ୍ତା ୨୭ ଓ ୨୮ରେ ଭିଏତନାମରେ ହେବ ଶିଖର ବୈଠକ, ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ହେବ ଆଲୋଚନା । 

72

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗଙ୍କ ମଧ୍ୟରେ ପୁଣି ହେବ ଭେଟ । ଗତ ବର୍ଷ ଜୁନରେ ପ୍ରଥମ ଶିଖର ସମ୍ମିଳନୀ ହୋଇଥିବା ବେଳେ ଫେବ୍ରୁୟାରୀ ୨୭ ଓ ୨୮ରେ ହେବାକୁ ଥିବା ଦ୍ୱିତୀୟ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ଏହି ବୈଠକରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ  । ଭିଏତନାମରେ ଏହି ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ଫେବ୍ରୁଆରୀ ୨୭ ଓ ୨୮ରେ ଅନୁଷ୍ଠିତ ହେବ । ଭିଏତନାମରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ତେବେ ଭିଏତନାମର ରାଜଧାନୀ ହନୋଇ କିମ୍ବା ସମୁଦ୍ର ତଟରେ ଅବସ୍ଥିତ ସହର ଦା ନାଙ୍ଗ ଠାରେ ଏହି ବୈଠକ ହେବାର ସମ୍ଭାବନା ରହିଛି ।

ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମକୁ ନେଇ ହେବାକୁ ଥିବା ଏହି ବୈଠକ ପାଇଁ ଉଭୟ ରାଷ୍ଟ୍ର ନେତା ବେଶ ଉତ୍ସାହିତ ଅଛନ୍ତି  । ୨୦୧୮ଜୁନ୍ ମାସରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା  । ପରମାଣୁ ନିରସ୍ତ୍ରୀକରଣ ଉପରେ ଉତ୍ତରକୋରିଆ ଦୃଢ ପଦକ୍ଷେପ ନେବ ବୋଲି ଆଶା କରିଛି ଆମେରିକା । ଏବଂ ଯେପର୍ଯ୍ୟନ୍ତ ପରମାଣୁ ନିରସ୍ତ୍ରକରଣ ଉପରେ ଉତ୍ତରକୋରିଆ ଦୃଢ ପଦକ୍ଷେପ ଗ୍ରହଣ ନକରିଛି ସେ ପର୍ଯ୍ୟନ୍ତ ଆମେରିକା ତା ଉପରେ ଚାପ ପକାଇବ ବୋଲି ଆମେରିକା କହିଛି ।

ଡୋନାଲ୍ଡ ଟ୍ରମ୍ପ ଓ କିମ୍ ଜୋଙ୍ଗ ଉନଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ମିସାଇଲ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ହେବ । ବହୁ ବାଦ ବିବାଦ ପରେ ଗତବର୍ଷ ଜୁନ୍ ୧୨ତାରିଖରେ ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା  । ଏବଂ ଏହି ଭେଟ ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକାକୁ ଆଉ ପରମାଣୁ ଭୟ ନାହିଁ  । ଟ୍ରମ୍ପ ଓ ଜୋଙ୍ଗଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକ ବେଶ ରୋଚକ ଓ ସକରାତ୍ମକ ଥିଲା ।