ଭାରତ ଅଭିମୁଖେ ବାହାରିଲେ ଟ୍ରମ୍ପ । ଗସ୍ତ ପୂର୍ବରୁ କହିଲେ, ମୋଦି ମୋର ଭଲ ବନ୍ଧୁ । 

1,121

କନକ ବ୍ୟୁରୋ : ଭାରତ ଅଭିମୁଖେ ବାହାରିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଟ୍ରମ୍ପ । ଭାରତରେ ଟ୍ରମ୍ପଙ୍କ ପହଞ୍ଚିବା ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସୋମବାର ଓ ମଙ୍ଗଳବାର ଭାରତରେ ରହିବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କର ପରିବାର । ନମସ୍ତେ ଟ୍ରମ୍ପ ଠାରୁ ତାଜମହଲ ପରିଦର୍ଶନ ଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ରାଷ୍ଟ୍ରପତି ଦମ୍ପତି, ଆସନ୍ତାକାଲି ଅହମ୍ମଦାବାଦରେ ଦିନ ୧୧ଟା ୪୦ରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପ ଦମ୍ପତି ଏବେ ଆମେରିକା ଛାଡି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛନ୍ତି ।

ଟ୍ରମ୍ପ ଭାରତ ଗସ୍ତରେ ଆସିବା ପୂର୍ବରୁ ବଡ ବୟାନ ରଖିଛନ୍ତି । ମୋଦିଙ୍କୁ ବନ୍ଧୁ ବୋଲି କହିବା ସହ ଭାରତୀୟଙ୍କ ସହ ମିଶିବାକୁ ଉତ୍ସାହିତ ଥିବା କହିଛନ୍ତି ଟ୍ରମ୍ପ । ଏସବୁ ଭିତରେ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ନୂଆ ବୋହୁ ପରି ସଜେଇ ଦିଆଯାଇଛି । ସ୍ୱାଗତ ପାଇଁ ଏତେବଡ ଆୟୋଜନ ହୋଇଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଟ୍ରମ୍ପ ମଧ୍ୟ କହିଥିଲେ, କୁଆଡେ ମୋଦି ୭୦ଲକ୍ଷ ଲୋକଙ୍କୁ ନେଇ ସ୍ୱାଗତ କରିବେ । ସେ ଯାହା ବି ହେଉ, ଏଥର ଟ୍ରମ୍ପଙ୍କ ସ୍ୱାଗତ ସାରାବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିବ ।ଆଉ ଏହାରି ଭିତରେ ଭାରତ-ଆମେରିକା ବ୍ୟବସାୟର କଥାକୁ ନେଇ ଟ୍ରମ୍ପ ଯେଉଁ ଇସାରା ଦେଇଛନ୍ତି, ସେଥିରୁ ଜଣାପଡୁଛି ଉଭୟ ରାଷ୍ଟ୍ର ନିଜ ନିଜ ଦେଶର ଫାଇଦା କଥା ଚିନ୍ତା କରୁଛନ୍ତି । ଅବଶ୍ୟ ଏହା ଖୁବ ସ୍ୱାଭାବିକ ମଧ୍ୟ । କାରଣ ନିଜ ନିଜ ଦେଶର ସ୍ୱାର୍ଥ ରକ୍ଷା କରି ଆଗକୁ ବଢିପାରିଲେ ଉଭୟଙ୍କ ପାଇଁ ମଙ୍ଗଳ ହେବ ।

ସୋମବାର ସକାଳ ୧୧ଟା ୫୫ମିନିଟରେ ଅହମ୍ମଦାବାଦ ଏୟାରପୋର୍ଟ ଛୁଇଁବ ଆମେରିକାର ଏୟାରଫୋର୍ସ-ୱାନ । ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତରେ ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏୟାରପୋର୍ଟରେ ପହଂଚି ଆମେରିକାର ପ୍ରଥମ ପରିବାରକୁ ସ୍ୱାଗତ କରିବେ । ମ୍ମ୍ଦାବାଦରେ ୩ଘଂଟାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୮୦ରୁ ୮୫କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି ।