ମହାନଦୀ ଜଳବିବାଦ ଉପରେ ଆଜି ଆସିବ ବଡ ରାୟ ! ଓଡିଶାର ଆବେଦନ ଉପରେ ଟ୍ରିବ୍ୟୁନାଲ କରିବେ ଶୁଣାଣି ।

68

କନକ ବ୍ୟୁରୋ : ଓଡିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିବେ । ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଫେବ୍ରୁଆରି ୯ରେ ଶେଷ ହୋଇଥଲା ।

ଟ୍ରିବୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ । ତଦନୁସାରେ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବୃଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା । ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା ।

ସୂତ୍ର ଅନୁସାରେ ଆଲୋଚନ ବେଳେ ଅଣମୌସୁମୀ ଋତୁରେ ୧.୭୨ ଏକର ନିୟୁତ ଫୁଟ ଜଳ ପ୍ରଦାନ କରିବା ପାଇଁ ଓଡିଶାର ଦାବିକୁ ଛତିଶଗଡ଼ ଗ୍ରହଣ କରିନଥିଲା । ଓଡିଶାର ବଳିଷ୍ଠ ଯୁକ୍ତିକୁ ଛତିଶଗଡ଼ ଅଗ୍ରାହ୍ୟ କରିଦେଇଥିବା ବିଷୟ ଟ୍ରିବ୍ୟୁନାଲକୁ ଅବଗତ କରାଯିବ ବୋଲି ଜଣାପଡ଼ିଛି । ଅଣମୌସୁମୀ ଋତୁରେ ଓଡିଶାକୁ ପ୍ରବାହିତ ହେଉଥିବା ଜଳ ଉଦବେଗଜନକ ଭାବେ ହ୍ରାସ ପାଉଥିବା ବିଷୟ ମଧ୍ୟ ଅବଗତ କରାଯିବ । ମହାନଦୀର ଉପର ମୁଣ୍ଡ ଏବଂ ଛତିଶଗଡର ବିଭିନ୍ନ ବନ୍ଧ ଓ ବ୍ୟାରେଜରୁ ତଥ୍ୟ ସଂଗ୍ରହ କରାଯାଇଛି ଯାହା ଓଡ଼ିଶା ସପକ୍ଷରେ ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଉଛି ।