କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ବଡ ବିବାଦ । ଏହି ବିବାଦ ସୃଷ୍ଟି ହୋଇଛି ମୋଦିଙ୍କ ହେଲିପ୍ୟାଡ୍ ଅବତରଣକୁ ନେଇ । ମୋଦିଙ୍କ ଗସ୍ତ ପାଇଁ ବଲାଙ୍ଗୀର ଷ୍ଟେସନ୍ ନିକଟରେ ଏକ ହେଲିପ୍ୟାଡ୍ ନିର୍ମାଣ ହେଉଛି । ଏଥିପାଇଁ ପ୍ରାୟ ୨ହଜାର ଗଛ କଟାଯାଇଥିବା ଅଭିଯୋଗ ହୋଇଛି । ମୋଦିଙ୍କ ଗୋଟିଏ ଦିନର ଗସ୍ତ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ଗଛ କଟା ଯିବା ଘଟଣାକୁ ନେଇ ଉଭୟ ବିଜେପି ଓ ବିଜେଡି ସରକାରକୁ ଟାର୍ଗେଟ୍ କରିଛି କଂଗ୍ରେସ ।
ହେଲିପ୍ୟାଡ୍ ପାଇଁ ବନୀକରଣ ସଫା । ମୋଦିଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ବିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ବଲାଙ୍ଗୀର ସହରର ରେଲୱେ ଷ୍ଟେସନ୍ ଅଂଚଳରେ ନିର୍ମାଣ ହେଉଥିବା ଏହି ହେଲିପ୍ୟାଡକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଅଭିଯୋଗ ହୋଇଛି, ଏହି ହେଲିପ୍ୟାଡ୍ ନିର୍ମାଣ ପାଇଁ କାଟି ଦିଆଯାଇଛି ପ୍ରାୟ ୨ହଜାର ଗଛ । ଯାହା ସହରୀ ବନିକରଣ ଯୋଜନାରେ ଏଠି ରୋପଣ କରାଯାଇଥିଲା ।
କେଉଁ ପରିସ୍ଥିତିରେ କଟା ଗଲା ଗଛ ? ଗଛ କାଟିବା ପାଇଁ କିଏ ଦେଲା ଅନୁମତି ? ଗୋଟିଏ ଝଟକାରେ ପ୍ରାୟ ୨ରୁ ୩ଲକ୍ଷ ଟଙ୍କାର ଗଛ କଟାଯିବା ଘଟଣାକୁ ନେଇ ଏବେ କାଠଗଡ଼ାରେ ପିଡବ୍ଲୁଡି ଏବଂ ପୂର୍ବତନ ରେଳବାଇର ଭୂମିକା । ରେଳବାଇ ପିଡବ୍ଲୁଡି ଆଡକୁ ଦୋଷ ଠେଲି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ବିକାଶର ପୁଟୁଳି ଧରି ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ଯେମିତି ସରଗରମ କରିଛି, ବଲାଙ୍ଗୀରର ଗଛ କଟା ଘଟଣା ସେମିତି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଉପରେ ପ୍ରଶ୍ନ ବି ଛିଡା କରିଛି ।
ଏବେ ପ୍ରଶ୍ନ ହେଉଛି, ମୋଦିଙ୍କ ବଲାଙ୍ଗୀର ଅବରତଣ ପାଇଁ ଆଉ କିଛି ବିକଳ୍ପ ଥିଲା କି ନାହିଁ? ହେଲିପ୍ୟାଡ୍ ନିର୍ମାଣ ପାଇଁ ଗଛ କାଟିବା ଏକମାତ୍ର ବିକଳ୍ପ ଥିଲା କି? ଗୋଟିଏ ଦିନର ଓଡ଼ିଶା ଗସ୍ତରେ ମୋଦି ଶିକ୍ଷା, ଗମନାଗମନ ସହ ବିକାଶମୂଳକ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ତଥା ଶିଳାନ୍ୟାସ୍ କରିବେ ସତ, କିନ୍ତୁ ଏହି ଗସ୍ତ ପାଇଁ ବାହାଘର ବେଳେ ବାଇଗଣ ରୋଆ ନୀତିରେ ହଜାର ହଜାର ଗଛ କଟାଯିବ ଏହାକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/MODI-4.jpg)