ଖଣି ପାଇଁ ବଳି ପଡ଼ିଲା ହଜାର ହଜାର ଗଛ । ବେଧଡକ୍ ଗଛ କାଟି ଚାଲିଛି ଏନଏଲସି କମ୍ପାନୀ, ବନୀକରଣ ପୂର୍ବରୁ ଗଛ କାଟିବାକୁ କଂପାନୀକୁ କିପରି ମିଳିଲା ଅନୁମତି ।

246

କନକ ବ୍ୟୁରୋ : କୋଇଲା ଖଣି ପାଇଁ ଆଖିବୁଜା ଗଛକଟା । ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଅଂଚଳରେ ଏନଏଲସି ଇଣ୍ଡିଆ ଲିମିଟେଡକୁ ତଳବିରା ୨ ଓ ତଳବିରା ୩ ଖଣି ଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ କଂପାନୀ କାମ ଆରମ୍ଭ କରିଛି । ଏଥିପାଇଁ ଶହ ଶହ ବଡ଼ ବଡ଼ ଗଛ ବଳି ପଡ଼ି ସାରିଲାଣି । ସମ୍ବଲପୁରରେ ୧୭ହଜାରରୁ ଅଧିକ ଗଛ କଟା ହେବାକୁ ଥିବାବେଳେ ଝାରସୁଗୁଡ଼ାରେ ଲକ୍ଷାଧିକ ଗଛ କଟା ହେବା ଅନୁମାନ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ବନୀକରଣ ହେବା ପୂର୍ବରୁ ଗଛ କାଟିବାକୁ କଂପାନୀକୁ କିପରି ମିଳିଲା ଅନୁମତି ।

ଖଣି ପାଇଁ ଆଖିବୁଜା ଗଛକଟା । କୋଇଲା ଖଣି ପାଇଁ ବଳି ପଡ଼ିବ ହଜାର ହଜାର ଗଛ । ସମ୍ବଲପୁର ଖିଣ୍ଡା ପଂଚାୟତର କୋଇଲା ଖଣି ଲିଜ୍ ୩ ବର୍ଷ ପାଇଁ ନେଇଛି ଏନଏଲସି ଇଣ୍ଡିଆ ଲିମିଟେଡ୍ । ଲିଜ୍ ନେବା ପରେ ଆରମ୍ଭ ହୋଇଯାଇଛି ଆଖିବୁଜା ଗଛକଟା । କଡା ସୁରକ୍ଷା ଭିତରେ ଗଛକଟା ଚାଲିଛି, ଯେଉଁ ଅଂଚଳ କିଛି ଦିନ ତଳେ ବଡ ବଡ ଗଛର ସବୁଜିମାରେ ଭରି ରହିଥିଲା, ସେହି ଅଂଚଳ ଏବେ ପଦା ହୋଇଗଲାଣି । ଛୋଟ ଗଛ ଗୁଡିକୁ ମେସିନ ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । କିନ୍ତୁ ବଡ ବଡ ଗଛଗୁଡିକୁ କାଟି ଚାଲିଛି କମ୍ପାନୀ । ସରକାରଙ୍କର କଡା ନିୟମ ରହିଛି ଯେ ଯେତିକି ଗଛ କଟା ହେବ, ପ୍ରଥମେ ସେହି ପରିମାଣର ଗଛ ଲଗାଇବା କଥା । କିନ୍ତୁ ସେହି ନିୟମକୁ ଆଖି ବୁଜି ଦେଇଛି କଂପାନୀ ।

ତଥ୍ୟ ଅନୁସାରେ ସମ୍ବଲୁପର-ଝାରସୁଗୁଡ଼ା ସୀମାନ୍ତରେ ୧୯୧୪ ହେକ୍ଟର ଜମି ନେଇଛି କଂପାନୀ । ସେଥିରୁ ୧୦୩୮ ହେକ୍ଟର ଜଙ୍ଗଲ ଜମି ରହିଛି । ଆଉ ସମ୍ବଲପୁର ଜିଲ୍ଲାରେ ରହିଛି ୧୯୨ ହେକ୍ଟର ଜମି । ବଳକା ଜମି ସବୁ ଝାରସୁଗୁଡା ଜିଲ୍ଲାର । ସୂଚନା ଅନୁସାରେ ସମ୍ବଲପୁରରେ ୧୭,୭୦୦ ଗଛ କଟାଯିବ । ସେଥିମଧ୍ୟରୁ ୧୩,୦୦୦ ଗଛ ଜଙ୍ଗଲ ବିଭାଗର ଓ ୪,୦୦୦ରୁ ଅଧିକ ଗଛ ବ୍ୟକ୍ତିଗତ ମାଲିକାନାରେ ରହିଛି । ଝାରସଗୁଡା ଜିଲ୍ଲାର କେତେ ଗଛ କଟିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଠାରେ ହଜାର ହଜାର ଗଛ କଟା ହେବା ସମ୍ଭାବନା ରହିଛି ।

ଗଛକଟା ବଦଳରେ ୨୫ ଲକ୍ଷ ଗଛ ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି ବନୀକରଣ ପାଇଁ କାମ ଆରମ୍ଭ ପୂର୍ବରୁ ହଜାର ହଜାର ଗଛ କାଟିବାକୁ କଂପାନୀକୁ ଅନୁମତି ଦେଲା କିଏ?