ବର୍ଷାରେ ବୁଡିଲା ରେଳ ଧାରଣା: ଟ୍ରାକରେ ଚାଲୁଛି ୩ ଫୁଟ ଉଚ୍ଚର ପାଣି;ବଲାଙ୍ଗୀର-ସମ୍ବଲପୁର ରୁଟରେ ଅଟକିଲା ଏକାଧିକ ଟ୍ରେନ୍

ଯିବାକୁ ଥିବା ଟ୍ରେନ୍ ବାତିଲ୍

956

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବରଗଡ ଜିଲ୍ଳା ଆଦିରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସବୁଆଡେ ଖାଲି ପାଣି ଆଉ ପାଣି । ବୁଡି ଯାଇଛି ରାସ୍ତାଘାଟ ଓ ରେଳ ଧାରଣା । ରେଳ ଧାରଣା ଉପରେ ବହୁଛି ୩ଫୁଟରୁ ଅଧିକ ଉଚ୍ଚର ପାଣି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଧାରଣା ଜଳଶୟର ଭ୍ରମ ସୃଷ୍ଟି କରୁଛି । କେଉଁଠି ରେଳଲାଇନ୍ ଅଛି କିଛି ଜଣାପଡୁନାହିଁ ।

ଫଳରେ ଏହି ରୁଟ୍ ଦେଇ ଯାଉଥିବା ଇସ୍ପାତ ଏକ୍ସପ୍ରେସକୁ ଷ୍ଟେସନରେ ଅଟକାଇ ଦିଆଯାଇଛି । ସେହିପରି ୨ଟି ପାସେଞ୍ଜର ଟ୍ରେନକୁ ମଧ୍ୟ ବାତିଲ କରି ଦିଆଯାଇଛି । ଡୁଙ୍ଗୁରିପାଲି ଷ୍ଟେସନରେ କଟାଯାଇଥିବା ସମସ୍ତ ଟ୍ରେନ୍ ଟିକେଟକୁ ମଧ୍ୟ ବାତିଲ କରାଯାଇଛି । ସେହିପରି ବଲାଙ୍ଗୀରରେ ମଧ୍ୟ ଟ୍ରାକ୍ ଉପରେ ପ୍ରବାହିତ ହେଉଛି ପାଣି । ସେଥିପାଇଁ ଏହି ରୁଟ ଦେଇ ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।

ସେପଟେ, ଟ୍ରେନ୍ ଟ୍ରାକରେ ପାଣି, ବିଭିନ୍ନ ସ୍ଥାନରେ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପାଣି ଯୋଗୁଁ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବରପାଲିରେ ଅଟକି ରହିଛି, ଆଜମେର-ପୁରୀ ଏକ୍ସପ୍ରେସ୍ ଲୋଇସିଂହାରେ , ଇସ୍ପାତ ଏକ୍ସପ୍ରେସ୍ ଡୁଙ୍ଗୁରିପାଲିରେ ଅଟକି ରହିଛି । ଏହି ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏଂ ଟ୍ରେନ୍ ଟ୍ରାକରୁ ପାଣି କମିବା ପରେ ଟ୍ରେନ୍ଗୁଡିକ ଗନ୍ତବ୍ୟ ପଥରେ ଚାଲିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ସମ୍ବଲପୁର ମଣ୍ଡଳ ଅର୍ନ୍ତଗତ ଦେଓଗାଁ – ବରଗଡ ଓ ଟିଟିଲାଗଡ ରୁଟର ରେଳ ଧାରଣା ଉପରେ ପାଣି ଯୋଗୁଁ ସେହି ରୁଟର ସମସ୍ତ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳବାଇ ପକ୍ଷରୁ ଆଗୁଆ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି ।