୧୫ ଅଗଷ୍ଟରୁ ବଦଳିବ ଟ୍ରେନର ସମୟ ! ୧୫ ମିନିଟ ପୂର୍ବରୁ ଉପଲବ୍ଧ ହେବ ତତ୍କାଳ ଟିକେଟ୍ ।

60

ଆଗକୁ ଆସୁଛି ପୂଜା ପର୍ବାଣିର ଦିନ । ଆଉ ଏହି ଛୁଟିରେ ଯଦି ଆପଣ ଟ୍ରେନରେ ଦୂର ସ୍ଥାନକୁ ବୁଲି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣଙ୍କ ଟ୍ରେନର ସମୟ କନଫର୍ମ କରିନିଅନ୍ତୁ । କାରଣ ଅଗଷ୍ଟ ୧୫ ତାରିଖରୁ ଟ୍ରେନ ଗୁଡିକର ସମୟ ବଦଳିବାକୁ ଯାଉଛି । ନୂଆ ଟାଇମ୍ ଟେବୁଲ ଅଗଷ୍ଟ ୧୪ ଏବଂ ୧୫ ମଧ୍ୟରାତ୍ରିରୁ ଲାଗୁ ହେବ । ତେବେ ଅନେକ ଟ୍ରେନର ସମୟ ବଦଳିବ ଏବଂ ଏହାର ସୂଚୀ ଆଇଆରସିଟିସିର ୱେବସାଇଟରେ ପ୍ରକାଶ ପାଇବ ।

ଆଇଆରସିଟିସି ପକ୍ଷରୁ ଏବେଠାରୁ ଯାତ୍ରୀମାନଙ୍କୁ ଆଲର୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁ ଲୋକମାନେ ଅନଲାଇନ ଟିକେଟ ବୁକ କରୁଛନ୍ତି, ସେମାନଙ୍କୁ ଟ୍ରେନର ସମୟ ବଦଳି ନେଇ ମେସେଜ ଦ୍ୱାରା ଅବଗତ କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରେଳବାଇର ନୂଆ ସମୟ ଟେବୁଲ ଲାଗୁ ହେବା ପାଇଁ ଆଉ କେବଳ ୫ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଝାନ୍ସି ମଣ୍ଡଳକୁ ନୂଆ ସମୟ ସାରଣୀ ପ୍ରାପ୍ତ ହୋଇନାହିଁ । ସୂଚନା ଅନୁଯାୟୀ, ଯେଉଁ ଟ୍ରେନ ଗୁଡିକର ଷ୍ଟପେଜ କୌଣସି ଷ୍ଟେସନରେ ୫ରୁ ୧୦ ମିନିଟ୍ ସମୟର ଅଟେ, ସେହି ଟ୍ରେନ ଗୁଡିକର ସମୟ କମ କରାଯିବ, ଯାହାଫଳରେ ଟ୍ରେନ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବ ।

କେବଳ ଏତିକି ନୁହେଁ, ଟିକେଟ ନେବାରେ ମଧ୍ୟ ଯାତ୍ରୀମାନଙ୍କୁ ଆଉ ହଇରାଣ ହେବାକୁ ପଡିବନାହିଁ । ତତ୍କାଳରେ ହେଉଥିବା ଟିକେଟ ଗୁଡିକ ୧୫ ମିନିଟ ପୂର୍ବରୁ ଉପଲବ୍ଧ ହେବ । ଏଥିପାଇଁ ସହରର ବିଭିନ୍ନ ଜାଗାରେ ଟିକେଟ ସୁବିଧା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ର ଗୁଡିକରେ ଯାତ୍ରୀମାନେ ଅତି ସହଜରେ ସେମାନଙ୍କର କନଫର୍ମ ଟିକେଟ ପାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛିଟା ଅତିରିକ୍ତ ଟଙ୍କା ଦେବା ପାଇଁ ପଡିବ ।