ହେଲମେଟ୍ ପିନ୍ଧ, ସୁରକ୍ଷିତ ରୁହ ! ସୋସିଆଲ ମିଡିଆରେ ସଚେତନତା ବାର୍ତ୍ତା, ବ୍ରହ୍ମପୁର ପୁଲିସର ସେଫ୍ ଡ୍ରାଇଭ୍ ସେଫ୍ ଲାଇଭ୍ ସ୍ଲୋଗାନ୍

57

କନକ ବ୍ୟୁରୋ: ବ୍ରହ୍ମପୁର ପୁଲିସ ଆରମ୍ଭ କରିଛି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ । ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଥିବା ବେଳେ ଲୋକଙ୍କୁ ଟ୍ରାଫିକ ନିୟମ ଜଣାଇବା ଉଦ୍ଦେଶ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜନସଚେତନା ସୃଷ୍ଟି ହେବା ନେଇ ଆଶା ବାନ୍ଧିଛି ପୁଲିସ ।

ରେଶମ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । କେତେବେଳେ ରାସ୍ତା ଉପରେ ଗାଡି ରଖି ଲୋକେ ସପିଂ କରୁଛନ୍ତି ତ ପୁଣି କେତେବେଳେ ବେପରୁଆ ଗାଡି ଚାଳନା ଲୋକଙ୍କ ଜୀବନ ନେଉଛି । ଯାହା ମୁଣ୍ଡବିନ୍ଧା ସାଜୁଛି ପୁଲିସର । ବିଶେଷ କରି ଯୁବଗୋଷ୍ଠୀ ଟ୍ରାଫିକ କଟକଣାକୁ ବାଏଁ ବାଏଁ ଉଡାଇ ଦେଉଥିବା ଲକ୍ଷ୍ୟ କରଯାଉଛି । ଯାହାର ସମାଧାନ ଖୋଜି ଖୋଜି ଶେଷରେ ସଚେତନା ଶୋଭଯାତ୍ରା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଟ୍ରାଫିକ ନିୟମ ବାବଦରେ ଜଣାଇବାକୁ ଚେଷ୍ଟା କରିଛି ବ୍ରହ୍ମପୁର ପୁଲିସ । ଆଜି ରବିବାର ଛୁଟିଦିନ ଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ବାଇକ ଆରୋହୀଙ୍କ ମୁଣ୍ଡରେ ହେଲମେଟ ରହିବ । ବାଇକରେ ୨ଜଣରୁ ଅଧିକ ଯିବେ ନାହିଁ । ଗାଡି ଚଲାଇଲା ବେଳେ ମୋବାଇଲରେ କଥା ହେଉଥିବା ଧରାପଡିଲେ ସାଂଘାତିକ । ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବ । ନୋ ପାର୍କିଂରେ ଗାଡି ରଖିଲେ ଫାଇନ ଦେବାକୁ ପଡିବ । ଆଉ ବେପରୁଆ ଗାଡିଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସହରରେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣଳୁ ଆଣିବା ପାଇଁ ଏଭଳି କଡାନିୟମ କରିଛି ବ୍ରହ୍ମପୁର ପୁଲିସ ।

ଏନେଇ ସେଫ୍ ଡ୍ରାଇଭ୍ ସେଭ୍ ଲାଇଫ୍ ବାର୍ତ୍ତା ନେଇ ବାହାରିଥିବା ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସହରରେ ଥିବା ପେଟ୍ରୋଲ ପମ୍ପରେ ପହଞ୍ଚି ହେଲମେଟ ବ୍ୟବହାର ନେଇ ସଚେତନ କରାଇଥିଲେ । ସେହିପରି ବିନା ହେଲମେଟରେ ପ୍ରେଟ୍ରୋଲ ମିଳିପାରିବ ନାହିଁ ବୋଲି କଡାକଡି ଭାବେ କୁହାଯାଇଛି । ଏଭଳି ସଚେତନା କାର୍ଯ୍ୟକ୍ରମ ଦ୍ୱାରା ସମସ୍ତେ ଟ୍ରାଫିକ ସମ୍ବନ୍ଧୀୟ ନିୟମ କାନୁନ ଜାଣିପାରିବା ସହ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଗତ ମଇମାସରେ ‘ନୋ ହେଲମେଟ, ନୋ ପେଟ୍ରୋଲ’ ନିୟମ ଆଣିଥିଲେ ରାଜ୍ୟ ସରକାର । ଯେଉଁମାନେ ବିନା ହେଲମେଟରେ ପେଟ୍ରୋଲ ପମ୍ପ ଯାଇଥିବେ ସେମାନଙ୍କୁ ପେଟ୍ରୋଲ ମିଳିପାରିବ ନାହିଁ ବୋଲି ସତର୍କ କରାଇବା ସହ ସବୁ ପେଟ୍ରୋଲ ପମ୍ପରେ ପୋଷ୍ଟର ଲଗାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହା ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ ହୋଇ ପରେ କଟକ ଓ ରାଜ୍ୟର ସବୁ ପ୍ରାନ୍ତରେ ଉପଯୋଗ କରିବାକୁ ଳକ୍ଷ୍ୟ ରଖାଯାଇଥିଲା । ଯାହାକୁ ଏବେ ବ୍ରହ୍ମପୁର ପୁଲିସ ଆପଣାଇବାକୁ ଯାଉଛି ।

ସଚେତନତା କ୍ଷେତ୍ରରେ ଏବେ ସୋସିଆଲ ମିଡିଆକୁ ଅସ୍ତ୍ର କରୁଛି ପୁଲିସ । ଫେସବୁକ, ଟୁଇଟର ମାଧ୍ୟମରେ ପୁଲିସ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି । ଟୁଇଟ କରି ଲୋକଙ୍କୁ ହେଲମେଟ ବ୍ୟବହାର କରିବା ସହ ଟ୍ରାଫିକ ନିୟମ ମାନିବାକୁ କହୁଛି ପୁଲିସ । ଗତ କିଛିଦିନ ତଳେ କେନ୍ଦୁଝର ପୁଲିସ ବାହୁବଳୀ ଫର୍ମୁଲା ଆପଣାଇଥିଲା । ରିଲ ଲାଇଫରେ ହିରୋ ମାନେ ହେଲମେଟ ବ୍ୟବହାର କରୁଥିବାରୁ ରିୟଲ ଲାଇଫରେ ମଧ୍ୟ ସମସ୍ତେ ହିରୋ ହେବା ପାଇଁ ହେଲମେଯ ବ୍ୟବହାର କରିବାକୁ ଅନୁରୋଧ କରାଯାଇଥିଲା । ଜଗତସିଂହପୁର ପୁଲିସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ପୁରସ୍କାର ରାଶି ଦେବା ନେଇ ଘୋଷଣା କରିଥିଲା ।