ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଶେଷ ହେଲା ପ୍ରସ୍ତୁତି । ଟ୍ରାଫିକ୍ ପରାମର୍ଶ ଜାରି କଲା କମିସନରେଟ୍ ପୋଲିସ ।

264

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ କମିସନରେଟ୍‌ ପୁଲିସ ବୁଧବାର ଟ୍ରାଫିକ୍‌ ପରାମର୍ଶ ଜାରି କରିଛି । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗ ବଦଳରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେଉଛି ।କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ନିୟମ ଅନୁସାରେ ସରକାରୀ ଅଧିକାରୀମାନେ ପରେଡ୍‌ସ୍ଥଳର ୨ ନମ୍ବର ଗେଟ୍‌ ଦେଇ ପ୍ରବେଶ କରିପାରିବେ । ସେହିଭଳି ନିମନ୍ତ୍ରିତ ଅତିଥି ଓ ଛାତ୍ରଛାତ୍ରୀମାନେ ୩ ଓ ୪ ନମ୍ବର ଗେଟ୍‌ ଦେଇ ପହଂଚିବେ । ଗଣମାଧ୍ୟମର ପ୍ରତିନିଧିମାନେ ୫ ନମ୍ବର ଗେଟ୍‌ ଦେଇ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଯାଇପାରିବେ ।

ପାସ୍‌ରେ ଉଲ୍ଲେଖ ୨ ଓ ୬ ନମ୍ବର ଗେଟ୍‌ ନିକଟରେ ଥିବା ପାର୍କିଂରେ ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ସେମାନଙ୍କର କାରକୁ ପାର୍କିଂ କରିପାରିବେ । ନିମନ୍ତ୍ରିତ ଅତିଥିମାନେ ବିନା କାର୍‌ ପାସ୍‌ରେ ଉଭୟ ରାମ ମନ୍ଦିର ଅଥବା ହାଉସିଂ ବୋର୍ଡ ଛକରୁ ପରେଡ୍‌ସ୍ଥଳକୁ ପ୍ରବେଶ କରିପାରିବେ । ସେମାନେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ କାର୍‌ଗୁଡ଼ିକ ପାର୍କିଂ କରିପାରିବେ । ୩ ଓ ୪ ନମ୍ବର ଗେଟ୍‌ ଦେଇ ସାଧାରଣ ଦର୍ଶକ ପରେଡ୍‌ସ୍ଥଳକୁ ଯାଇପାରିବେ । ସେମାନଙ୍କୁ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ସେମାନଙ୍କ ବାହନ ରଖିବାକୁ ପଡ଼ିବ ।