ରେଡିଓ କଲାର ରୋକିବ ହାତୀ-ମଣିଷ ଯୁଦ୍ଧ: ଦୁର୍ଦ୍ଦାନ୍ତ ହାତୀଙ୍କ ଗତିବିଧି ସହ ସେମାନଙ୍କ ଭାଷା ବୁଝିବାକୁ ବେକରେ ଲାଗିବ ସ୍ୱତନ୍ତ୍ର ଯନ୍ତ୍ର

418

କନକ ବ୍ୟୁରୋ: ତିନି ଦୁର୍ଦ୍ଦାନ୍ତ ହାତୀଙ୍କ ଦେହରେ ଲାଗିବ ରେଡିଓ କଲାର । ଅନଗୁଳ ଓ ଦେବଗଡ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ୩ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ନିଆଯିବ ପ୍ରତିଶେଧକ ପଦକ୍ଷେପ । ଏହା ସହିତ ହାତୀଙ୍କ ଭାଷା ବୁଝିବାକୁ ଚେଷ୍ଟା କରିବ ବନବିଭାଗ । ଆଉ ଏଥିପାଇଁ ସହଯୋଗ କରିବ ଆଇଆଇଟି । ଏକ ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ସାହାଯ୍ୟରେ ହାତୀର ଶଦ୍ଦକୁ ଦୂରରୁ ଜାଣିପାରିବେ ବନ କର୍ମଚାରୀ । ହାତୀ ୫ କିଲୋମିଟର ଦୂରରେ ଥିଲେ ବି ସେମାନଙ୍କ ଭାଷା ଓ ଗତିବିଧିକୁ ଏହି ଯନ୍ତ୍ର ଦ୍ୱାରା ଜାଣିହେବ ।

ତେବେ ଜଙ୍ଗଲୀ ହାତୀଙ୍କ ଶବ୍ଦ ବୁଝି ସେହି ତଥ୍ୟ ଅନୁସାରେ ସାଧାରଣ ଲୋକଙ୍କୁ ସତର୍କ କରାଯିବ ।ଫଳରେ ହାତୀ-ମଣିଷ ଭିତରେ ହେଉଥିବା ଲଢେଇରେ ରୋକ ଲାଗିପାରିବ । ରାଜ୍ୟରେ ହାତୀଙ୍କ ଚଳପ୍ରଚଳକୁ ଅନୁଧ୍ୟାନ କରିବା ପରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଜଙ୍ଗଲକୁ ନୂତନ ହାତୀ ଅଭୟାରଣ୍ୟ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ହାତୀଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ନଦେଇ ପ୍ରଥମେ ରାଜ୍ୟରେ ଥିବା ହାତୀଙ୍କ ସୁରକ୍ଷା ଦରକାର ବୋଲି ରାଜଧାନୀରେ ଆୟୋଜିତ କର୍ମଶାଳାରେ ମତ ରଖିଛନ୍ତି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଲାଭ କରିଥିବା ହସ୍ତୀ ବିଶେଷଜ୍ଞ ଡଃ ରମଣ ସୁକୁମାର । ରାଜ୍ୟରେ ଥିବା ତିନୋଟି ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଶିମିଳିପାଳ ବନାଚଂଳ ହାତୀଙ୍କ ପାଇଁ ସୁରକ୍ଷିତ ଅଛି । କିନ୍ତୁ ମହାନଦୀ ବନାଚଂଳ ଓ ସମ୍ବଲପୁର ବନାଚଂଳର ପରିସୀମା ବୃଦ୍ଧି କରିବା ସହ ଏହି ଦୁଇ ଅଭୟାରଣ୍ୟ ମଧ୍ୟରେ ବାଧାରହିତ କରିଡର ସ୍ଥାପନ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

୨୦୧୭ ହାତୀଗଣନା ଅନୁସାରେ ରାଜ୍ୟରେ ସମୁଦାୟ ୧୯୭୬ ହାତୀ ଥିବା ବନବିଭାଗ ଆକଳନ କରିଛି । ବର୍ତ୍ତମାନ ରାଜ୍ୟର ଜଙ୍ଗଲର ଘନତାକୁ ଅନୁଧ୍ୟାନ କଲେ ଓଡିଶାରେ ୨ ହଜାର ହାତୀ ରହିପାରିବେ । କିନ୍ତୁ ଏଥିପାଇଁ ଅନେକ ପଦକ୍ଷେପ ନେବାକୁ ପଡିବ ଯାହା ଫଳରେ ଧନଜୀବନ ସହ ହାତୀ ମୃତ୍ୟୁ ଉପରେ ମଧ୍ୟ ଅଙ୍କୁଶ ଲାଗିପାରିବ ।