ଟ୍ରେନରୁ କିଏ ନେଇଗଲା ୧୪ କୋଟି ଟଙ୍କାର ତଉଲିଆ, କମ୍ବଳ, ଚାଦର ଓ ତକିଆ । 

202

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ବିଭିନ୍ନ ପ୍ରକାର ଯୋଜନା କରୁଛି । କିନ୍ତୁ ଯାତ୍ରୀ ମାନେ ନିଜର ପ୍ରବୃତ୍ତି ଛାଡି ପାରୁନାହାନ୍ତି । ଭାରତୀୟ ରେଳର ଏସି କୋଚରୁ ପ୍ରାୟ ୧୪ କୋଟି ଟଙ୍କାର ଶୋଇବା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯେଉଁଥିରେ ତଉଲିଆ, ଚାଦର, କମ୍ବଳ, ତକିଆ ରହିଛି । ସବୁଠୁ ବଡ କଥା ହେଲା ଏହି ଜିନିଷ ଗୁଡିକ ଏସି ବଗିରୁ ଚୋରି ହୋଇଛି । ଯେଉଁଥିରେ ଅଧିକାଂଶ ବଡ ବଡିଆ ଲୋକ ଯାତ୍ରା କରିଥାନ୍ତି । ତେଣୁ ଏମାନେ ଏହି ସାମଗ୍ରୀ ଚୋରି କରିଥିବା ଭାରତୀୟ ରେଳବାଇ ସନ୍ଦେହ କରୁଛି । ୨୦୧୭-୧୮ରେ ଲକ୍ଷାଧିକ ଚାଦର, କମ୍ବଳ, ତକିଆ ଚୋରି ହୋଇଥିବା ରେଲୱେର ଜଣେ ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ବର୍ଷ ଦେଶରେ ଚାଲୁଥିବା ଟ୍ରେନ ଗୁଡିକର ଏସି କୋଚରୁ ୨୧ ଲକ୍ଷ ୭୨ ହଜାର ୨୪୬ଟି ଶୋଇବା ସାମଗ୍ରୀ ଚୋରି ହୋଇଛି । ଯେଉଁଥିରେ ୧୨ ଲକ୍ଷ ୮୩ ହଜାର ୪୧୫ଟି ତଉଲିଆ, ୪ ଲକ୍ଷ ୭୧ ହଜାର ୦୭୭ଟି ଚାଦର, ୩ ଲକ୍ଷ ୧୪ ହଜାର ୯୫୨ଟି ତକିଆ ଖୋଳ ରହିଛି ।  ଏହାଛଡା ୫୬ ହଜାର ୮୭ଟି ତକିଆ ଓ ୪୬ ହଜାର ୫୧୫ଟି କମ୍ବଳ ମଧ୍ୟ ଗାଏବ ରହିଛି । ଯାହାର ମୂଲ୍ୟ ୧୪ କୋଟି ଟଙ୍କାରୁ ଅଧିକ ହେବ ।

କେବଳ ଏତିକି ନୁହେଁ ଟ୍ରେନ ଟଏଲେଟରୁ ମଧ୍ୟ ପ୍ରତିିଦିନ ମଗ୍ ଫ୍ଲସ ପାଇପ ଓ ଦର୍ପଣ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ଯାହା ରେଲୱେ ବିଭାଗର ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ ଏସି କୋଚରେ ପ୍ରତିଦିନ ୩.୯ ଲକ୍ଷ ଶୋଇବା ସେଟ୍ ଉପଲବ୍ଧ କରାଯାଉଛି । ପ୍ରତି ସେଟରେ ଦୁଇଟି ଚାଦର, ଗୋଟିଏ ତଉଲିଆ, ଗୋଟିଏ ତକିଆ, ଓ କମ୍ବଳ ରହିଥାଏ । କିନ୍ତୁ ଯାତ୍ରୀ ମାନେ ଅଧିକାଂଶ ସମୟରେ ତଉଲିଆ ଓ ଚାଦର ଚୋରେଇ ନେଇଥାନ୍ତି । ତେଣୁ ରେଳ ବିଭାଗ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଶସ୍ତା, ଛୋଟ ଓ ଥରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଉପଲବ୍ଧ କରିବାକୁ ନିଷ୍ପତି ନେଇଛି ।