ବର୍ଦ୍ଧିତ ଟୋଲଗେଟ ଫି ଆଦାୟ ଉପରେ ଲାଗିଲା ରୋକ୍

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏବେ ଲାଗୁହେବନି ଟୋଲଗେଟରେ ବର୍ଦ୍ଧିତ ଫି । ନିଷ୍ପତି ଉପରେ ମାସକ ଯାଏଁ ସ୍ଥଗିତାଦେଶ ଲଗାଇଛନ୍ତି ସରକାର । ରାଜ୍ୟରେ ଥିବା ଟୋଲଗେଟର ସ୍ଥିତି ନେଇ ସମୀକ୍ଷା ପରେ ଏନଏଚଏଆଇକୁ ରିପୋର୍ଟ ଦେବେ ରାଜ୍ୟ ସରକାର । ତାପରେ ବର୍ଦ୍ଧିତ ଟିକସ ଉପରେ ନିଷ୍ପତି ହେବ । ଟୋଲଗେଟରେ ବର୍ଦ୍ଧିତ ଫି ପ୍ରସଙ୍ଗରେ ଏନଏଚଏଆଇ ଅଧିକାରୀଙ୍କ ସହ ଆଜି ଆଲୋଚନା କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଥିବା ୮ଟି ଟୋଲଗେଟର ସ୍ଥିତି ନେଇ ଆଜି ଏନ୍ଏଚ୍ଏଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ୮ ଟି ରୁ ୫ ଟି ଟୋଲଗେଟ୍ ଠିକ୍ ସ୍ଥାନରେ ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରିକି କିଛି ଟୋଲଗେଟର ଦୂରତା ୬୦ କିଲୋମିଟର ଭିତରେ ରହିଛି । ସେହିପରି ଟୋଲଗେଟ ଅଂଚଳରେ ମ୍ୟୁନିସିପାଲିଟି ଥିଲେ ତାହା ଆହୁରି ୧୦ ରୁ ୨୦ କିଲୋମିଟର ଦୂରରେ କରାଯିବା ନିୟମ ରହିଛି । ତେବେ ରାଜ୍ୟର କିଛି ଟୋଲଗେଟରେ ଏହି ନିୟମର ବ୍ୟତିକ୍ରମ ହୋଇଥିବା ଦର୍ଶାଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ ମାସେ ସମୟ ନେଇଛନ୍ତି ସରକାର । ମାସକ ମଧ୍ୟରେ ଏସବୁ ସ୍ଥିତିର ସମୀକ୍ଷା କରି ଏନଏଚଏଆଇକୁ ରିପୋର୍ଟ ଦିଆଯିବ ।

ସେପଟେ ରାଜ୍ୟରେ ୧୨ ଟି ପ୍ରକଳ୍ପ ଅଧୀନରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମିତ ହେବ । ଯାହା ମଧ୍ୟରେ ୬୨୦ କିଲୋମିଟର ରାସ୍ତାକାମ ସରିଛି । ବଳକା ରାସ୍ତା ତୁରନ୍ତ ସାରିବାକୁ ବୈ÷ଠକରେ ଆଲୋଚନା ହୋଇଛି । ଜମି ଅଧିଗ୍ରହଣ, ଜଙ୍ଗଲ ଜମି ପରିବର୍ତନ, ୱାଇଲ୍ଡ ଲାଇଫ୍ କ୍ଲିୟରାନ୍ସ ନେଇ ମଧ୍ୟ ଆଲୋଚନା ହୋଇଛି ।