ଆଜିଠାରୁ ବଢିବ ତାତି ! ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ, ପଶ୍ଚିମ ଓଡିଶା ପାଲଟିବ ତତଲାତାୱା

28

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଦୁର୍ବଳ ହୋଇପଡିଛି । ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ରବିବାର ବର୍ଷା ହୋଇଥିବା ବେଳେ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ବାୟୁ ମଣ୍ଡଳରେ ଏବେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଜଳୀୟ ବାଷ୍ପ ଥିବାରୁ ଗୁଳୁଗୁଳି ଅସମ୍ଭାଳ ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଏଭଳି ଅବସ୍ଥା ଆଉ ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି ଆସନ୍ତା ୨୦ ତାରିଖ ବେଳକୁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି । ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପବନର ଦିଗ ଅଲଗା ଅଲଗା ରହିଥିବାରୁ କାଳବୈଶାଖୀର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଆଜିଠାରୁ ଉପକୂଳ ଓଡିଶାରେ ତାତି ବଢିବାର ସମ୍ଭାବନା ରହିଛି । ଦିନେ ଦୁଇ ଦିନ ଭିତରରେ ତାତି ୪୦ ଡିଗ୍ରୀ ଟପିପାରେ । ପଶ୍ଚିମ ଓଡିଶାର କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଡେଇଁବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଂଟାରେ ଗଂଜାମ, କନ୍ଧମାଳ, ରାୟଗଡା ଆଦି ଅଂଚଳରେ ସାମାନ୍ୟ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –