ତାତିରୁ ମିଳିବ ଆସ୍ୱସ୍ତି : ୪ ଦିନ ପରେ ସାମାନ୍ୟ କମିଲା ତାପମାତ୍ରା । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆଉ ୨୪ ଘଣ୍ଟା ଯାଏ ଜାରି ରହିବ ତାତି

16

କନକ ବ୍ୟୁରୋ: ୪ ଦିନ ଧରି ତତଲା ସହର ପାଲଟିଥିବା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଗତକାଲି ଟିକିଏ କମିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ୩୯.୬ ଡିଗ୍ରି ରହିଥିଲା। ଏଥିସହ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ବାରିପଦାରେ ୪୦.୪ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାତି ରେକର୍ଡ ହୋଇଛି। ସେହିପରି କଟକ, ପାରାଦ୍ୱୀପ, ବାଲେଶ୍ୱରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ତାତି କମିଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା।

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କିନ୍ତୁ ତାତି କମିବାର ନାଁ ଧରୁନି। ଗତକାଲି ବି ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା। ଏହାବ୍ୟତୀତ ଟିଟିଲାଗଡ଼ରେ ୪୧, ଢ଼େଙ୍କାନାଳରେ ୪୦.୨, ସମ୍ବଲପୁରରେ ୪୦.୧, ବଲାଙ୍ଗୀର ଓ ସୋନପୁରରେ ୪୦ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ୪ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଉ ୨୪ ଘଣ୍ଟା ଯାଏ ତାତି ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, ଖୋର୍ଧା, ଜଗତସିଂହପୁର, ଢ଼େଙ୍କାନାଳ, ନୟାଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ପାଇଁ ଅଂଶୁଘାତ ସତର୍କ ସୂଚନା ଜାରି ହୋଇଛି। ୨୨ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପବନ ସହ ପ୍ରବଳ ବର୍ଷା ହୋଇପାରେ।

ପାଣିପାଗ ବିଜ୍ଞାନୀଙ୍କ ମତରେ ୨୨ ତାରିଖଠାରୁ ଉପକୂଳବର୍ତୀ ଅଞ୍ଚଳରେ ତାପମାତ୍ରା କମିବ। ୪୦ ତଳକୁ ଖସିବ। କିନ୍ତୁ ଗୁଳୁଗୁଳି ରହିବ। ୨୬ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିବ। ଏବେ ୩ରୁ ୪ ଡିଗ୍ରି ଅଧିକ ରହିଛି। ୨୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ପଶ୍ଚିମ ସୀମାନ୍ତ ଅଞ୍ଚଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ଉପକୂଳ ଅପେକ୍ଷା ଅଧିକ ବର୍ଷା ହୋଇପାରେ।