୧୩ରେ ପୁଣି ବର୍ଷା ! ଭିଜାଇବ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶା, ୧୫ରୁ ହାଡ଼ଭଙ୍ଗା ଶୀତ

52

କନକ ବ୍ୟୁରୋ: ଦିନକ ବର୍ଷା ଉପକୂଳ ଜିଲ୍ଲାଗୁଡ଼ିକରେ ବିପତ୍ତି ସୃଷ୍ଟି କରିଛି । ଚାଷୀଙ୍କୁ ପୁଣି ଠେଲିଦେଇଛି ଦୁର୍ଦଶା ଭିତରକୁ । ତେବେ ଅଧିକ କ୍ଷୟକ୍ଷତି ଘଟାଇବା ପୂର୍ବରୁ ଏହା ଆପାତତଃ ହଟିଯାଇଛି । ଭୀଷଣ ଅବପାତ ଦୁର୍ବଳ ହୋଇ ପୂର୍ବ ଅବପାତ ରୂପକୁ ଫେରିଛି । ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ସମୁଦ୍ର ଉପର ଦେଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ମୁହାଁଇଛି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ। କିନ୍ତୁ ପୂର୍ବାନୁମାନ କହୁଛି ଅବପାତଟି ଆହୁରି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ବାଂଲାଦେଶ ଯିବା ପୂର୍ବରୁ ସମୁଦ୍ର ଭିତରେ ହିଁ ଲୀନ ହୋଇଯିବ । ଏହା ପ୍ରଭାବରେ ଉତ୍ତର ଉପକୂଳରେ କାଁ ଭାଁ ବର୍ଷା ହୋଇପାରେ । କିନ୍ତୁ ୧୩ ତାରିଖରୁ ପଶ୍ଚିମା ବାୟୁ ପ୍ରଭାବରେ ଦୁଇଦିନ ଧରି ବିକ୍ଷିପ୍ତ ଭାବେ ଛୋଟ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦୁଇଦିନ ବର୍ଷା ହେବ । ପଶ୍ଚିମା ବାୟୁ ଅପସରି ଗଲେ ଅନୁଭୂତ ହେବ ହାଡ଼ଭଙ୍ଗା ଥଣ୍ଡା ।

ସୂଚନାନୁସାରେ, ଅବପାତଟି ପାରାଦୀପଠାରୁ ୯୦ କି.ମି. ଦୂର ସମୁଦ୍ରରେ ଥାଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଆଗେଇଛି । ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଆଦି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି । ଏହାର ସର୍ବାଧିକ ବେଗ ୬୫ କି.ମି. ଥିବାରୁ ସମୁଦ୍ର ଅଶାନ୍ତ ରହିଛି । ବନ୍ଦରଗୁଡ଼ିକରେ ତିନି ନମ୍ବର ସତର୍କ ସଙ୍କେତ ଜାରି ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ବଳବତ୍ତର ରହିଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ପଶ୍ଚିମା ବାୟୁ ଆସିଲେ ସର୍ବାଧିକ ୧୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । କିନ୍ତୁ ଏହା ପ୍ରଭାବରେ ବଢ଼ିବ ତାପମାନ । କିନ୍ତୁ ଏହା ହଟିଗଲା ପରେ ୧୫ ତାରିଖ ବେଳକୁ ମାଡ଼ି ଆସିବ ଜାଡ଼ ।

ଗତକାଲି ବାଲେଶ୍ୱର, କଟକ, ଭୁବନେଶ୍ୱର ଆଦି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ଗତକାଲି ମଧ୍ୟ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି । ଜଳୀୟବାଷ୍ପ ଯୋଗୁଁ ଆର୍ଦ୍ରତା ପରିମାଣ ପାଖାପାଖି ୧୦୦ ପ୍ରତିଶତ ରହିଛି । ଦିନକ ପରେ ଅଧିକାଂଶ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି । କିନ୍ତୁ ପଶ୍ଚିମା ବାୟୁ ଜନିତ ବର୍ଷା ପ୍ରଭାବ ନ ହଟିବା ଯାଏଁ ପାଗ ସ୍ୱାଭାବିକ ହେବନାହିଁ ।