କଂଗ୍ରେସ ମଙ୍ଗ ଧରିବେ ରାହୁଲ ! ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

25

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ବୈଠକରେ କଂଗ୍ରେସ ସଭାପତି ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ବିଚାରବିମର୍ଶ କରାଯାଇ ତାରିଖ ସମ୍ପର୍କରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବାପାଇଁ ୧୦ରୁ ୧୫ ଦିନ ଲାଗିପାରେ । ଯଦି ଅନ୍ୟ କୌଣସି ନେତା ସଭାପତି ପଦ ପାଇଁ ନିର୍ଦ୍ଧାରିତ ସମୟ ଅବଧିରେ ନାମାଙ୍କନ ପତ୍ର ଦାଖଲ ନକରନ୍ତି ତାହାଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଏଆଇସିସି ସୂତ୍ର ଅନୁଯାୟୀ, ସୋମବାର ଦିନ ପୂର୍ବାହ୍ନ ୧୦ଟା ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ୧୦ ଜନପଥ ସରକାରୀ ବାସଭବନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଅଧ୍ୟକ୍ଷତା କରିବେ । କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦ୍ୱାରା ନିଷ୍ପତ୍ତିକୁ ବୈଠକରେ ଗୃହୀତ କରାଯିବ ।

ସୁତ୍ର ଅନୁସାରେ, କଂଗ୍ରେସ ଉପସଭାପତି ପ୍ରାର୍ଥୀ ପାଇଁ ରାହୁଲ ଗାନ୍ଧୀ ଏକମାତ୍ର ପ୍ରାର୍ଥୀ । ଦଳ ଅନୁସାରେ କଂଗ୍ରେସ ସଭାପତି ନିର୍ବାଚନର ତାରିଖ ଘୋଷଣା ପାଇଁ ସିଡବ୍ଲ୍ୟୁସି ବୈଠକ ଡାକିବା ସେଭଳି ଜରୁରୀ ନଥିବା ବେଳେ ସ୍ୱୟଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଡବ୍ଲ୍ୟୁସି ବୈଠକ ଡାକିବାର ନିଷ୍ପତ୍ତି ନେଇଛନ୍ତି ।

ସୁଚନାଯୋଗ୍ୟ କଂଗ୍ରେସ ଦଳ ଡିସେମ୍ବର ମାସ ଶେଷ ସୁଦ୍ଧା ଦଳର ସଭାପତି ନିର୍ବାଚନ ପାଇଁ ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରୀୟା ଶେଷ କରିବ ବୋଲି ପୂର୍ବରୁ ନିର୍ବାଚନ କମିସନଙ୍କୁ ଅବଗତ କରାଇ ସାରିଛି । ନିର୍ବାଚନ କମିସନ ଏନେଇ କଂଗ୍ରେସକୁ ଏକ ବର୍ଷର ସମୟ ପ୍ରଦାନ କରି ୨୦୧୭ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାପାଇଁ ସମୟସୀମା ଦେଇଛନ୍ତି । ନିକଟରେ ଦିଲ୍ଲୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ତାମିଲନାଡ଼ୁ, ପିସିସି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରିବାପାଇଁ ପ୍ରସ୍ତାବ ପାରିତ କରାଯାଇଛି ।