ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ, ୨୪ ଘଂଟା ଯାଏଁ ନିସ୍ତାର ନାହିଁ, ଅଶାନ୍ତ ରହିବ ସମୁଦ୍ର

30

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଘଣ୍ଟା ପ୍ରତି ମାତ୍ର ୩ କିମି ବେଗରେ ଏହା ଏବେ ଉତ୍ତର ପୂର୍ବ ଓଡ଼ିଶା ଦେଇ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହେବ। ଅବପାତ ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସେପଟେ ରାଜ୍ୟରେ ଆଜି ଅପରାହ୍ମଠାରୁ ବର୍ଷାର ପ୍ରକୋପ ବଢିବାରେ ବୋଲି ପାଣିପାଗ ସୂଚନା ଦେଇଛି ।

 

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଛୋଟ ଛୋଟ ପିଲାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଆଜି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ୧୫୦ରୁ ଅଧିକ ମିମି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଯେଉଁଥିପାଇଁ ଶୁକ୍ରବାର ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି।

 

ଅବପାତ ପ୍ରଭାବରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶା ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ବୋହିବ। ଗୋଟିଏ ଦୁଇଟି ସ୍ଥାନରେ ପବନର ବେଗ ୬୦ରୁ ୭୦ କିମି ପହଞ୍ଚିପାରେ। ତାହାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅବପାତର ବେଗ ମନ୍ଥର ହୋଇଥିବାରୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ପାରାଦୀପ, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ଯାଜପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଧା, ପୁରୀ, ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।