ଆଜି ଆସିବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ । ବହୁ ଜନହିତକର ଯୋଜନା ଆଣିପାରନ୍ତି ସରକାର । ଦେଢ ଲକ୍ଷ କୋଟି ଟପିପାରେ ବଜେଟର ଆକାର

266

କନକ ବ୍ୟୁରୋ: ଆଜି ବିଧାନସଭାରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ବିଜେଡି ସରକାରର ଏହି ଦ୍ୱିତୀୟ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ । ରାଜ୍ୟର ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ । ତା ସତ୍ୱେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିର ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ।

ତେବେ ବଜେଟ ପୂର୍ବରୁ ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ଅଭିବୃଦ୍ଧି ହାର କମିଛି । ଚଳତବର୍ଷ ଅଭିବୃଦ୍ଧି ହାର ୭ ଦଶମିକ ୯୦ରୁ ଖସି ୬.୧୬ ରହିବା ନେଇ ସର୍ଭେରେ ଆକଳନ କରାଯାଇଛି । ସେହିଭଳି ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ରାଜ୍ୟର ଅଭିବୃଦ୍ଧି ହାର କମିଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦ ରହିଥିଲା । ଖଣିଜ କାରବାରରରେ ମାନ୍ଦା ଯୋଗୁଁ ଅଭିବୃଦ୍ଧି ଖସିଛି । ସେହିଭଳି ରାଜ୍ୟରେ ମୁଣ୍ଡପିଚ୍ଛା ଆୟ ବି କମିଛି । ୨୦୧୯-୨୦୨୦ରେ ରାଜ୍ୟର ମୁଣ୍ଡପିଚ୍ଛା ଆୟ ରହିଛି ଲକ୍ଷେ ଏକ ହଜାର ୫୮୭ ଟଙ୍କା ।

ତେଣୁ ରାଜ୍ୟର ବିକାଶ ହାରକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ କେତେ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିପାରନ୍ତି । ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ବଜେଟର ଆକାର ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦୨୦ରେ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା ।