ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ରାଷ୍ଟ୍ରପତି ଶାସନ ଲାଗୁ ପରେ ବି ସରକାର ଗଠନ ପାଇଁ ଉଦ୍ୟମ : ଶରଦ ପାୱାର- କଂଗ୍ରେସ ନେତାଙ୍କ ଆଲୋଚନା, ସେପଟେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

572

କନକ ବ୍ୟୁରୋ : ମହାରାଷ୍ଟ୍ରରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ରାଜନୈତିକ ଦଳ ସରକାର ଗଠନ କରିବାରେ ଫେଲ୍ ମାରିବା ପରେ ମହାରାଷ୍ଟ୍ର ରାଜନୀତିର ଆସିଛି ନୂଆମୋଡ । ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ବର୍ଷିଛନ୍ତି ପ୍ରତିପକ୍ଷ । କଂଗ୍ରେସ-ଏନସିପି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତି ଭୁଲ୍ ବୋଲି କହିଛନ୍ତି । ରାଜ୍ୟପାଳ ସମସ୍ତଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିଲେ ମଧ୍ୟ କଂଗ୍ରେସକୁ ନଡାକିବା ଭୁଲ କଥା ବୋଲି ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ କହିଛନ୍ତି ।

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବା ଗଣତନ୍ତ୍ର ଓ ସମ୍ବିଧାନକୁ ଉପହାସ କରିବା ସହ ସମାନ ବୋଲି ସେ କହିଛନ୍ତି । ତାଙ୍କ ଦଳ ଏନସିପି ସହ ଆଲୋଚନା ଜାରି ରଖିଛି ବୋଲି ଅହମଦ ପଟେଲ ସୂଚନା ଦେଇଛନ୍ତି । ଏହି ଅବସରରେ ଏନସିପି ମୁଖ୍ୟ ଶରଦ ପାୱାର ରାଜ୍ୟରେ ଆଉ ନିର୍ବାଚନ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରପତି ଶାସନକୁ ବିରୋଧ କରିବା ସହ ବିଜେପିକୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଓ ଏନସିପି ସହ ଶିବସେନାର ଆଲୋଚନା ଜାରି ଥିବା କହିଛନ୍ତି ଉଦ୍ଧବ ଠାକରେ । ଏସବୁ ଭିତରେ ଆଜି ସୁପ୍ରିମକୋର୍ଟରେ ଶିବସେନା କରିଥିବା ଆବେଦନର ଶୁଣାଣି ମଧ୍ୟ ଆସିବ । ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତି କଣ ଆସୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।